ନୂଆଦିଲ୍ଲୀ,୧୬।୧୦(ପି.ଟି.): ଆମେରିକାରେ ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିବା ପାଇଁ ହୋଇଥିବା ଷଡ଼ଯନ୍ତ୍ରକୁ ନେଇ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର ଚିନ୍ତା ପ୍ରକଟ କରିବା ସହ ଏହାର ବିଧିବଦ୍ଧ ତଦନ୍ତ ଦାବି କରିଛି। ମନ୍ତ୍ରଣାଳୟ କହିଛି ଯେ, ଏହି ଘଟଣା ଆମେରିକାରେ ବଢୁଥିବା ବର୍ଣ୍ଣବୈଷମ୍ୟଜନିତ ଶତ୍ରୁତା ଏବଂ ଭାରତ ବିରୋଧୀ ବିଦ୍ୱେଷ ପ୍ରତି ଭାରତର ଉଦ୍ବେଗକୁ ଆହୁରି ବଢ଼ାଇ ଦେଇଛି। ଇଲନଏର ଅରୋରାସ୍ଥିତ ଏକ ହିନ୍ଦୁ ମନ୍ଦିରରେ ସାମୂହିକ ଗୁଳିକାଣ୍ଡର ସମ୍ଭାବ୍ୟ ଧମକ ସମ୍ପର୍କରେ ତଦନ୍ତ କରି ଆମେରିକାର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଆଲେକ୍ସଜାଣ୍ଡ୍ରୋସ ପାପୋରାକିସ ନାମକ ଜଣେ ୧୯ ବର୍ଷୀୟ ଯୁବକକୁ ଗିରଫ କରିବା ପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆମେରିକାର ତ୍ୱରିତ ପଦକ୍ଷେପକୁ ସ୍ବାଗତ କରିଛି।
ଅରୋରା ଅଞ୍ଚଳରେ ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ ଲାଗି ହୋଇଥିବା ଷଡ଼ଯନ୍ତ୍ର ସଂକ୍ରାନ୍ତ ରିପୋର୍ଟକୁ ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ଗଭୀର ଭାବେ ଚିନ୍ତିତ ବୋଲି ଏକ ବିବୃତିରେ କହିଛି। ଏଥିରୁ ହିନ୍ଦୁ-ବିରୋଧୀ ଓ ବର୍ଣ୍ଣବିଦ୍ୱେଷ ମନୋଭାବ ପ୍ରକାଶ ପାଉଛି, ଯେଉଁଥିରେ ଭାରତୀୟ ବଂଶୋଦ୍ଭବ ଲୋକଙ୍କ ବିପକ୍ଷରେ ହିଂସା ସୃଷ୍ଟି ହେଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତୀୟ ସମୁଦାୟର ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଅଧିକ ସତର୍କତା, ବିଦ୍ୱେଷମୂଳକ ହିଂସା ପ୍ରତି ଶୂନ୍ୟ ସହନଶୀଳତା ଏବଂ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ, ଭାରତ ଆଶା କରୁଛି ଯେ ଆମେରିକା କର୍ତ୍ତୃପକ୍ଷ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ, ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ଭବିଷ୍ୟତରେ ଯେଭଳି ଏପରି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।
ପାଲାଟାଇନ ପୋଲିସ କହିବା ଅନୁଯାୟୀ, ଅକ୍ଟୋବର ୧୧ରେ ମାଉଣ୍ଟ ପ୍ରୋସପେକ୍ଟ ପୋଲିସ ବିଭାଗଠାରୁ ଏକ ସମ୍ଭାବ୍ୟ ଗଣଗୁଳିକାଣ୍ଡ ସମ୍ପର୍କରେ ସୂଚନା ମିଳିବା ପରେ ଏହି ତଦନ୍ତ ଆରମ୍ଭ ହୋଇଥିଲା। ଜଣେ ବ୍ୟକ୍ତିଙ୍କଠାରୁ ଏହି ସୂଚନା ମିଳିଥିଲା, ଯିଏ ପାପୋରାକିସ୍ଙ୍କଠାରୁ ଗମ୍ଭୀର ବୈଦ୍ୟୁତିକ ବାର୍ତ୍ତା ପାଇଥିବା ନେଇ ରିପୋର୍ଟ କରିଥିଲେ। ଅରୋରା ହିନ୍ଦୁ ମନ୍ଦିରକୁ ଟାର୍ଗେଟ ନେଇ ହୋଇଥିବା ଷଡ଼ଯନ୍ତ୍ର ସଂକ୍ରାନ୍ତରେ ଆମେରିକା ସାଂସଦ ରାଜା କୃଷ୍ଣମୂର୍ତ୍ତିଙ୍କ ଚେତାବନୀ ଦେଇଥିଲେ। ଫଳରେ ତଦନ୍ତକାରୀମାନେ ଜାଣିବାକୁ ପାଇଲେ ଯେ, ପାପୋରାକିସ ଏକ ଦସ୍ତାବିଜ ଶେୟାର୍ କରିଥିଲେ, ଯେଉଁଥିରେ ମନ୍ଦିରରେ ଗଣଗୁଳିକାଣ୍ଡ ଘଟାଇବା ପାଇଁ ଏକ କଥିତ ଯୋଜନାର ରୂପରେଖ ରହିଥିଲା। ସେ ଏକ ରାଇଫଲ, ରାଇଫଲ ମାଗାଜିନ, ବୁଲେଟପ୍ରୁଫ୍ ଜ୍ୟାକେଟ ଏବଂ ଅନ୍ୟାନ୍ୟ ରଣନୀତିକ ଉପକରଣର ଚିତ୍ର ମଧ୍ୟ ଶେୟାର୍ କରିଥିଲେ। ସନ୍ଦିଗ୍ଧ ବ୍ୟକ୍ତି ଜଣକ ନିଜ ଘରୁ ବାହାରୁଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କ ବାସଭବନରେ କରାଯାଇଥିବା ଯାଞ୍ଚରୁ ଏକ ରାଇଫଲ, ଗୁଳିଭର୍ତ୍ତି ରାଇଫଲ ମ୍ୟାଗାଜିନ, ଅନେକ ଶହ ଅତିରିକ୍ତ ଗୁଳିଗୋଳା, ମାରଣାସ୍ତ୍ର ଏବଂ ତଦନ୍ତ ସହ ଜଡ଼ିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ପୋଲିସ ବିଭାଗ ଅନୁଯାୟୀ, ସେହି ଦସ୍ତାବିଜରେ ଚରମପନ୍ଥୀ ବିଚାରଧାରା ରହିଥିଲା, ଯେଉଁଥିରେ ଦକ୍ଷିଣ ଏସୀୟ ଲୋକ ବିଶେଷକରି ଭାରତୀୟ ବଂଶୋଦ୍ଭବମାନଙ୍କ ବିରୋଧରେ ହିଂସାତ୍ମକ ଆକ୍ରମଣ ଉଲ୍ଲେଖ ରହିଥିଲା।