ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ: ଅକ୍ଟୋବର ସୁଦ୍ଧା ସରିବ କାର୍ଯ୍ୟ

ଧାମନଗର,୨୮।୩ (ସ୍ବ.ପ୍ର.)-ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ସାମିଲ ହେଇଥିବା ଭଦ୍ରକ ଜିଲାର ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମଙ୍ଗଳବାର ପୂର୍ବାହ୍ନରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ପରିଦର୍ଶନ କରିଛନ୍ତି। ଡାକ୍ତରଖାନା ପରିସରରେ ଥିବା ପୁରୁଣା ଅବ୍ୟବହୃତ ପକ୍କାଘରକୁ ଭାଙ୍ଗିବା, ପାର୍କିଂ, ପରିମଳ, ବିଦ୍ୟୁତ୍‌ ବ୍ୟବସ୍ଥା, ରୋଗୀମାନଙ୍କୁ ସୂଚନା ପ୍ରଦାନ ନିମନ୍ତେ ଏକ ବଡ଼ ଏଲ୍‌ସିଡି ଟିଭି, ରୋଗୀମାନଙ୍କ ବସିବା ପାଇଁ ବ୍ୟବସ୍ଥା, ଡାକ୍ତରଙ୍କ ଲାଗି ବିଭିନ୍ନ ଆଧୁନୀକରଣ ବ୍ୟବସ୍ଥା, ଉନ୍ନତମାନର ଏକ୍ସରେ ମେଶିନ, ପାନୀୟ ଜଳ ଆଦି ପ୍ରସଙ୍ଗ ଉପରେ ଆଲୋଚନା ଏବଂ ଡିଜାଇନ ମାଧ୍ୟମରେ କିଭଳି ଉକ୍ତ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ ଜିଲାପାଳ ବୁଲି ଦେଖିଥିଲେ। ଏଥିସହ ଯଥାଶୀଘ୍ର ଏସବୁ କାର୍ଯ୍ୟ ସାରିବା ପାଇଁ ଉପସ୍ଥିତ ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଡା. ମନ୍ମୟ କୁମାର ସାମନ୍ତସିଂହାର, ବିଡିଓ ବନବିହାରୀ ଦିଣ୍ଡା, ଏବିଡିଓ ଶର୍ମିଷ୍ଠା ମଲ୍ଲିକ, ସହକାରୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ହେମ୍ବ୍ରମ, କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ପତି ପ୍ରମୁଖଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଜିଲାପାଳ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରତ୍ୟେକ କୋଠରୀ ବୁଲି ଦେଖିବା ସମୟରେ ଅଂଶୁଘାତ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା କୋଠରୀ ଦେଖି ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ। ତୁରନ୍ତ ଏହାକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କୋଠରୀରେ ପରିଣତ କରିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ରାତିରେ କୌଣସି ସ୍ପେଶାଲିଷ୍ଟ ଡାକ୍ତର ଏଠାରେ ରହୁ ନ ଥିବାରୁ ରୋଗୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ସ୍ଥାନୀୟ ବାସିନ୍ଦା ଜିଲାପାଳଙ୍କୁ ଅଭିଯୋଗ କରିବା ପରେ ତୁରନ୍ତ ଜଣେ ଡାକ୍ତରଙ୍କୁ ନିଯୁକ୍ତ ରଖିବା ପାଇଁ ବିଚାରକୁ ନିଆଯିବ ବୋଲି କହିଥିଲେ। ଚଳିତବର୍ଷ ଅକ୍ଟୋବର ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ଧାର୍ଯ୍ୟ କରାଯାଇଥିବା ଭାରପ୍ରାପ୍ତ ଅଧିକାରୀ କହିଛନ୍ତି।