କାର୍ଯ୍ୟକ୍ଷମ ହୋଇପାରୁନାହିଁ ଗୋଷ୍ଠୀ ଶୌଚାଳୟ

ପ୍ରୀତିପୁର,୨୯ା୮(ସୁଶାନ୍ତ ବେହୁରିଆ): ସରକାର ସ୍ବଚ୍ଛ ଭାରତ ଯୋଜନାରେ ପ୍ରଚାର ପ୍ରସାର ପାଇଁ ଅନେକ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଭିନ୍ନ ଗ୍ରାମକୁ ବାହ୍ୟ ମଳମୁକ୍ତ ଗ୍ରାମ ବୋଲି ଫଳକ ଲଗାଇ ବାହାବା ନେବାକୁ ଉଦ୍ୟମ କରୁଛନ୍ତି। ହେଲେ ବିଭିନ୍ନ ସ୍ଥାନର ପ୍ରକୃତ ସ୍ଥିତି ବାସ୍ତବତାଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଜଣାପଡ଼ିଛି । ଏହାର ଉଦାହରଣ ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶରଥପୁର ବ୍ଲକ ଖାନନଗର ପଞ୍ଚାୟତରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଖାନନଗର ପଞ୍ଚାୟତ ରାମପୁର ଗ୍ରାମଠାରେ ଗ୍ରାମବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୨୧-୨୨ରେ ରାମପୁର ହରିଜନ ସାହି ଗୋଷ୍ଠୀ ଶୌଚାଳୟ ନିର୍ମାଣ ନିମନ୍ତେ ୧ ଲକ୍ଷ ୭୮୦ ଟଙ୍କା ଯୋଗାଇ ଦିଆଯାଇଥିଲା । ପରେ ଏହାର ପୂର୍ଣ୍ଣାଙ୍ଗ ନିମନ୍ତେ ୨୦୨୧-୨୨ରେ ପୁଣି ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ଶୌଚାଳୟ ଟାଙ୍କି, କବାଟ ଓ ଜଳ ଯୋଗାଣ ବ୍ୟବସ୍ଥା ନିମନ୍ତେ ୧ ଲକ୍ଷ ଟଙ୍କା ଦିଆଯାଇଥିଲା । ମାତ୍ର ଇତିମଧ୍ୟରେ ୧ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ଉକ୍ତ ଶୌଚାଳୟ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଅପରପକ୍ଷେ ଶୌଚାଳୟର କବାଟ ଓ ସେପ୍ଟିକ ଟାଙ୍କିର ଢାଙ୍କୁଣୀ ଆଦି ଭାଙ୍ଗି ଗଲାଣି । ମୁକୁଳା ଟାଙ୍କିରେ ଗାଈଗୋରୁ, ଛେଳି ମେଣ୍ଢା ଓ ଛୋଟ ପିଲାମାନେ ଗଳି ପଡ଼ିବାର ଆଶଙ୍କା ରହିଛି । ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସୁବ୍ରତ ବେହେରାଙ୍କୁ ପଚାରିବାରୁ ଜଳ ଯୋଗାଣ ଓ ବିଦ୍ୟୁତ୍‌ ବ୍ୟବସ୍ଥା ଅସମ୍ପୂର୍ଣ ରହିଥିବାରୁ ଉକ୍ତ ଗୋଷ୍ଠୀ ଶୌଚାଳୟ କାର୍ଯ୍ୟକ୍ଷମ ହୋଇପାରୁନି ବୋଲି କହିଛନ୍ତି । ମାତ୍ର ବାକି କାମ ହେବା ବେଳକୁ ଶୌଚାଳୟର ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଥିବ ବୋଲି ସ୍ଥାନୀୟ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଦଶରଥପୁର ବିଡ଼ିଓ ଏ ସମ୍ପର୍କରେ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।