Categories: ଖେଳ

ପୁଣି ଥରେ ବର୍ଣ୍ଣବୈଷମ୍ୟ ଅଭିଯୋଗ ଆଣିଲେ ସିରାଜ, ଷ୍ଟାଣ୍ଡ୍‌ରୁ ହଟିଲେ ଦର୍ଶକ

ସିଡ୍‌ନୀ,୧୦।୧- ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ତୃତୀୟ ତଥା ସିଡ୍‌ନୀ ଟେଷ୍ଟର ତୃତୀୟ ଦିନ ଭଳି ରବିବାର ମଧ୍ୟ ଫିଲ୍ଡରେ ଘଟିଛି ଅସ୍ବାଭାବିକ ଘଟଣା। ପୁଣି ଥରେ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶୀକାର ହୋଇଛନ୍ତି ଭାରତୀୟ ପେସର ମହମ୍ମଦ ସିରାଜ। ଏ ସମ୍ପର୍କରେ ସିରାଜ ସାଥି ଖେଳାଳି ଓ ଫିଲ୍ଡ ଅମ୍ପାୟରଙ୍କୁ ଜଣାଇଥିଲେ। ମ୍ୟାଚ୍‌ ଅଫିସିଆଲ ଓ ଅମ୍ପାୟରଙ୍କ ନିର୍ଦ୍ଦେଶ କ୍ରମେ ସୁରକ୍ଷାକର୍ମୀ ଏକ ନିର୍ଦ୍ଦିଷ୍ଟ ଷ୍ଟାଣ୍ଡ୍‌ରୁ ଦର୍ଶକଙ୍କୁ ହଟାଇ ଦେଇଥିଲେ। ଏହି କାରଣରୁ ୧୦ ମିନିଟ୍‌ ପାଇଁ ବାଧାପ୍ରାପ୍ତ ହୋଇଥିଲା ଖେଳ।

ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସର ୮୭ ତମ ଓଭର ଆରମ୍ଭ ହେବା ପୂର୍ବରୁ ଫାଇନ ଲେଗ୍‌ ଅଞ୍ଚଳରୁ କ୍ରିଜ ନିକଟକୁ ଆସିଥିଲେ ସିରାଜ। ଫିଲ୍ଡ ଅମ୍ପାୟର ପଲ ରିଫିଲ ଓ ପଲ ଓ୍ବିଲସନଙ୍କ ନିକଟରେ କିଛି ଦର୍ଶକ ବର୍ଣ୍ଣବୈଷମ୍ୟ ଆକ୍ଷେପ କରୁଥିବା ଅଭିଯୋଗ ଆଣିଥିଲେ। ଏହାପରେ ରାଣ୍ଡଓ୍ବିକ୍‌ ଏଣ୍ଡରେ ଥିବା ବ୍ରଓ୍ବେଙ୍ଗଲେ ଷ୍ଟାଣ୍ଡ୍‌ରେ ପ୍ରବେଶ କରିଥିଲେ ମ୍ୟାଚ୍‌ ଅଫିସିଆଲ ଓ ସୁରକ୍ଷାକର୍ମୀ। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କ ବିରୋଧରେ ନ୍ୟୁ ସାଉଥ ଓ୍ବେଲ୍ସ ପୋଲିସ ତଦନ୍ତ ଆରମ୍ଭ କରିଛି।

Share