ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା ମାଓବାଦୀ କ୍ୟାଡ଼ର୍ ନେତା ତଥା ଅନମୋଲ ଟିମର ଜଣେ ଗ୍ରୁପ ବି ମହିଳା ମାଓବାଦୀ ସୋମବାର ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଏବଂ ରାଉରକେଲା ଏସପିଙ୍କ ସମ୍ମୁଖରେ ଏହି ମାଓବାଦୀ ଆତ୍ମସମର୍ପଣ କରିଥିଲେ। ପୋଲିସ ମୁଖ୍ୟାଳୟରେ ଡିଆଇଜି ଏବଂ ଏସପି ଉକ୍ତ ମହିଳା ମାଓବାଦୀଙ୍କୁ ଫୁଲ ତୋଡା ଏବଂ ଶାଲ ଦେଇ ସ୍ବାଗତ କରିଥିଲେ। ସରକାରଙ୍କ ଆତ୍ମସମର୍ପଣ ଯୋଜନାରେ ଥିବା ସମସ୍ତ ସୁବିଧା ତାଙ୍କୁ ମିଳିବ ବୋଲି ଡିଆଇଜି କହିଛନ୍ତି। ମାଓବାଦୀ ଦମନ କ୍ଷେତ୍ରରେ ଓଡ଼ିଶା ପୋଲିସକୁ କିଛିଦିନ ମଧ୍ୟରେ ବଡ ସଫଳତା ମିଳିଛି। ଏହା ମଧ୍ୟରେ ୭୭ ଜଣ ମାଓବାଦୀ ଓଡ଼ିଶା ପୋଲିସ ନିକଟରେ ଏବଂ ୨୩ ଜଣ ଓଡ଼ିଶାରୁ ଯାଇ ଛତିଶଗଡ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

