ପାରାଦୀପରେ ହ୍ରାସ ପାଉଛି ଭୂତଳ ଜଳ

ପାରାଦୀପ,୪ା୮ (ସ୍ବ.ପ୍ର.): ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ଅନେକ ସ୍ଥାନରେ ପରିବେଶ ବିଗିଡିବାରେ ଲାଗିଛି। କେଉଁଠି ଅତିବୃଷ୍ଟି ତ କେଉଁଠି ଶୁଖିଲା ପଡିଛି। ଏମିତି ଅବସ୍ଥା ଏବେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଲାଣି। ସମୁଦ୍ର ସଂଲଗ୍ନ ଅଞ୍ଚଳରେ ଭୂତଳ ଜଳସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଛି ବୋଲି ସରକାରୀ ଭାବେ ସୂଚନା ମିଳିଛି। ଜଗତ୍‌ସିଂହପୁର ଜିଲାର ଶିଳ୍ପ ଭିତ୍ତିକ ପାରାଦୀପରେ ଏଭଳି ସ୍ଥିତି ଦେଖା ଦେଲାଣି। ଯେଉଁଠି ୪ବର୍ଷ ତଳେ ୨୮୦ ମିଟର ତଳେ ମଧୁରଜଳ ମିଳୁଥିଲା ସେଠାରେ ଏବେ ୨୯୫ ରୁ ୩୦୦ ମିଟର ତଳକୁ ପାଣି ଖସି ଗଲାଣି। ଯେଉଁମାନେ ୫ ବର୍ଷ ତଳେ ନିଜସ୍ବ ଘର ପାଇଁ ନଳକୂପ ବସାଇଥିଲେ ସେମାନେ ଏବେ ପୁଣି ନୂଆ ନଳକୂପ ବସାଇଲେଣି। କାରଣ ପୁରୁଣା ନଳକୂପରୁ ଲୌହଯୁକ୍ତ ପାଣି ବାହାରୁଛି। ପୂର୍ବଭଳି ପାଣିର ମାତ୍ରା ରହୁନାହିଁ ବୋଲି ପାରାଦୀପ ଉଦୟବିହାର ବାସିନ୍ଦା ବୁବୁ ତାରେଣିଆ କୁହିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ମୁର୍ମୁଙ୍କୁ ପଚାରିବାରେ ୨୦୧୮ପୂର୍ବରୁ ଯେଉଁ ନଳକୂପ ଥିଲା ସେସବୁରେ ଏଭଳି ସମସ୍ୟା ଉପୁଜିଛି। କାରଣ ଭୂତଳ ଜଳ କ୍ରମଶଃ ହ୍ରାସ ପାଉଛି। ପାରାଦୀପର ନୂଆବଜାର ଅଞ୍ଚଳରେ ଏବେ ୨୬୦ରୁ ୨୭୦ ମିଟର ଗଭୀରରେ ମଧୁରଜଳ ମିଳୁଥିବା ବେଳେ ବିଜୟଚନ୍ଦ୍ରପୁର ଅଞ୍ଚଳରେ ତାହା ୨୮୫ ରୁ ୨୯୦ ମିଟର ଓ ଭିତରଗଡ଼ରେ ୩୦୦ ମିଟର ତଳେ ପାଣି ବାହାରୁଛି। ଭୂତଳ ଜଳ କମ ବ୍ୟବହାର ପାଇଁ ସରକାର ଏବେ ବିକଳ୍ପ ପନ୍ଥା ଆପଣେଇବାକୁ ଯାଉଛନ୍ତି। ମହାନଦୀର ଜୟପୁରଠାରୁ ପାଣି ଆଣି କୁଜଙ୍ଗ ସନ୍ତରାଠାରେ ଗଚ୍ଛିତ ରଖାଯିବ। ୨ ଏକର ଜାଗାରେ ଉକ୍ତ ପାଣିକୁ ଶୋଧନ କରି ପାରାଦୀପ ପୌରାଞ୍ଚଳ ଓ କୁଜଙ୍ଗ ବ୍ଲକର ଗ୍ରାମାଞ୍ଚଳରେ ଯୋଗାଣ କରାଯିବ। ଏଥିପାଇଁ ପ୍ରାଥମିକ ସର୍ଭେ କାମ ସରିଛି। ଏଥିପାଇଁ ପାଖାପାଖି ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରସ୍ତାବ ରହିଛି। ପାରାଦୀପ ପୌରାଞ୍ଚଳ ପାଇଁ ଏବେ ଦୈନିକ ୧୬ ମିଲିୟନ ଲିଟର ପାଣି ଆବଶ୍ୟକ ହେଉଛି। ଅଧିକାଂଶ ସ୍ଥାନରେ ଲୋକମାନେ ଭୂତଳ ଜଳ ବ୍ୟବହାର କରୁଛନ୍ତି। ଯାହା ଆଗାମୀଦିନରେ ସଙ୍କଟ ଦେବାର ସମ୍ଭାବନା ରହିଛି ବୋଲି ସେ କୁହିଛନ୍ତି। ଅନ୍ୟ ଏକ ଖବର ଅନୁସାରେ, ପାରାଦୀପର ଶିଳ୍ପସଂସ୍ଥାଗୁଡିକ ଲୁକ୍କାୟିତ ଭାବେ ଭୂତଳ ଜଳ କାରଖାନା ପାଇଁ ବ୍ୟବହାର କରୁଥିବା ଜଣାଯାଏ। ସେମାନଙ୍କ ପାଇଁ କୌଣସି ପ୍ରତିବନ୍ଧକ ସରକାରୀ ଭାବେ କରାଯାଉନାହିଁ। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ଏହାକୁ ତଦାରଖ କରିବା କାମ ଆଉ ପାଖରେ ନାହିଁ। ଭୂତତ୍ତ୍ୱବିତ୍‌ ଅଧିକାରୀ ଏହାକୁ ଦେଖିବା କଥା। ସୂଚନାଯୋଗ୍ୟ, ପାରାଦୀପରେ ଜଳ ପରିଚାଳନା ପାଇଁ ସେପରି କଟକଣା ନ ଥିବାରୁ କେତେଜଣ ଲୋକ ଭୂତଳ ଜଳକୁ ଶୋଧନ କରି ବଟଲିଂ କରି ବିକ୍ରି କରୁଛନ୍ତି। ଏଭଳି ପ୍ରାୟ ୫ ରୁ ଅଧିକ ସ୍ଥାନରେ ଚାଲିଛି। ଗୋଟିଏ ପଟେ ଜଳସ୍ତର ହ୍ରାସ ପାଉଥିବା ବେଳେ ଅପରପକ୍ଷେ ପାଣିର ବଜାରୀକରଣ ଯୋଗୁଁ ଜଳସଙ୍କଟ ଲାଗି ରହୁଛି।