Categories: ଜାତୀୟ

ଘୋଡ଼ା ବଦଳରେ ଜେସିବିରେ ଗଲେ ଇଞ୍ଜିନିୟର ବର

କସଡୋଲ,୧୭।୫: ଛତିଶଗଡ଼ର କସଡୋଲ ଗାଁର ଏକମାତ୍ର ଇଞ୍ଜିନିୟର ହେଉଛନ୍ତି ଅମିଶ କୁମାର ଡହରିଆ। ଏବେ ସେ ଖୁବ୍‌ ଚର୍ଚ୍ଚାରେ। କାରଣ ଏହି ଯୁବ ଇଞ୍ଜିନିୟର ଜଣକ ନିଜ ବିବାହ ପାଇଁ ଘୋଡା ପରିବର୍ତ୍ତେ ଜେସିବି ମେଶିନରେ ବର ସାଜି କନ୍ୟା ଘରେ ପହଞ୍ଚିଛନ୍ତି। ତେବେ ବରସାଜି ଯିବା ସମୟରେ ସେ ଜେସିବିର ଫ୍ରଣ୍ଟ ଲୋଡରରେ ନିଜ ଶିକ୍ଷାଗତ ଯୋଗ୍ୟତା ଲେଖି ଦେଇଥିଲେ। ଯାହାକୁ ଦେଖିବାକୁ ଲୋକଙ୍କର ଭିଡ ଜମିଥିଲା। ତାଙ୍କର କହିବା କଥା ହେଲା ସେ ବିବାହକୁ ଅଭୂଲା କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଘୋଡା ପରିବର୍ତ୍ତେ ଜେସିବି ମେଶିନକୁ ବାଛିଥିଲେ। ହେଲେ ଏଥିରେ ପ୍ରଥମେ ତାଙ୍କ ଘର ଲୋକ ରାଜି ହୋଇ ନ ଥିଲେ। କିନ୍ତୁ ସେ ତାଙ୍କ ଜିଦ୍‌ରେ ଅଟଳ ରହିବାରୁ ଶେଷରେ ପରିବାର ଲୋକେ ଏହାକୁ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଯୁବ ଇଞ୍ଜିନିୟର ଅମିଶଙ୍କ ପିତା ହେଉଛନ୍ତି ଜଣେ ପ୍ରଧାନଶିକ୍ଷକ ଓ ସେ ଯେଉଁ କନ୍ୟାଙ୍କୁ ବିବାହ କରିଛନ୍ତି ସେ ଏକ ବ୍ୟାଙ୍କରେ ଆସିଷ୍ଟାଣ୍ଡ ମ୍ୟାନେଜର ଭାବେ କାମ କରନ୍ତି।

Share