Categories: ଫୁରସତ

ବିବାହ ପୂର୍ବରୁ ବର ନିଖୋଜ, ସମ୍ପର୍କୀୟ ଭାଇଙ୍କୁ ବିବାହ କଲେ କନ୍ୟା; ଦୁଇଦିନ ପରେ ଖୋଲିଲା ରାଜ୍‌

କାନପୁରରେ ଏକ ବିବାହ ସମୟରେ ବର ଧୋକା ଦେଇଛନ୍ତି। ଏହା ପରେ କନ୍ୟାଘର ଲୋକେ ନିଜର ସମ୍ମାନ ରକ୍ଷା କରିବାକୁ ଯାଇ ଜଣେ ସମ୍ପର୍କୀୟ ଭାଇଙ୍କ ସହ ଝିଅର ବିବାହ କରାଇଛନ୍ତି। ଏହି ଘଟଣା କାନପୁର ନିକଟ ପୋଲହପୁର ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଗାଁର ଶ୍ରୀରାମ ପ୍ରଜାପତିଙ୍କ ଘରେ ବିବାହ ଉତ୍ସବ ପାଇଁ ଧୂମଧାମରେ ପ୍ରସ୍ତତି ଚାଲିଥିଲା। ସନ୍ଧ୍ୟାରେ ଝିଅର ବିବାହ ଅନୁଷ୍ଠିତ ହୋଇଥାନ୍ତା। ରାୟପୁରରୁ ବର ତାଙ୍କ ଘରକୁ ଆସିଥାନ୍ତେ। ବରଯାତ୍ରୀଙ୍କୁ ସ୍ବାଗତ କରିବା ପାଇଁ କନ୍ୟାପକ୍ଷ ଲୋକ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ।

ସେହିପରି ବର ଧର୍ମେନ୍ଦ୍ରଙ୍କ ପିତା ଧର୍ମପାଳ ପୁଅ ବିବାହକୁ ନେଇ ମଧ୍ୟ ବହୁତ ଖୁସି ଥିଲେ। ପୁଅ ସହ ସେଲୁନ୍‌ ବି ଯାଇଥିଲେ ଧର୍ମପାଳ। ଏହି ସମୟରେ ସେ କେଶ ରଙ୍ଗ କରୁଥିବା ବେଳେ ପୁଅ କେଉଁଆଡ଼େ ଗାଏବ ହୋଇଗଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଅ ନ ଫେରିବାରୁ ଧର୍ମପାଳ ଘରକୁ ଫେରିଆସି ଏ ସମ୍ପର୍କରେ କନ୍ୟା ଘରକୁ ଖବର ଜଣାଇଥିଲେ। ଏହା ଶୁଣିବା ପରେ କନ୍ୟାପକ୍ଷଙ୍କ ପାଦତଳୁ ମାଟି ଖସିଗଲା। ରାତି ୧୧ଟା ପର୍ଯ୍ୟନ୍ତ ବର ନ ଫେରିବାରୁ ଶେଷରେ କନ୍ୟାଘର ଲୋକେ ଝିଅକୁ ସମ୍ପର୍କୀୟ ଭାଇ ମହେଶଙ୍କ ସହ ବିବାହ କରାଇଥିଲେ। ଫଳରେ ତାଙ୍କ ସମ୍ମାନ ରକ୍ଷା ହୋଇଗଲା।

ବିବାହର ଠିକ୍‌ ଦୁଇଦିନ ପରେ ନିଖୋଜ ଥିବା ବର ଧର୍ମେନ୍ଦ୍ର ଘରକୁ ଫେରିଆସିଥିଲେ। ସେ ତାଙ୍କ ମା-ବାପାଙ୍କୁ ମିଛ କାହାଣୀ ଶୁଣାଇଲେ। କହିଲେ ତାଙ୍କୁ କେହି ନିଶା ଇଞ୍ଜେକ୍ସନ ଦେଇ ଅପହରଣ କରି ନେଇଥିଲା। ଯେତେବେଳେ ପୋଲିସ ଧର୍ମେନ୍ଦ୍ରଙ୍କୁ ପଚରାଉଚରା କଲା ସେତେବେଳେ ସତକଥା ଧରାପଡ଼ିଥିଲା। ଧର୍ମେନ୍ଦ୍ର ପୋଲିସକୁ କହିଛନ୍ତି, ବିବାହର ଦୁଇଦିନ ପୂର୍ବରୁ ତାଙ୍କ ପ୍ରେମିକାଙ୍କୁ ନେଇ ଅନ୍ୟ ସ୍ଥାନରେ ରଖିଥିଲେ। ଅଲଗା ଜାଗାରେ ବିବାହ କରିବାକୁ ତାଙ୍କର ଇଚ୍ଛା ନ ଥିଲା। ଏଥିପାଇଁ ସେ ବିବାହ ଦିନ ହିଁ ଫେରାର ହୋଇଯାଇଥିଲେ।

Share