Categories: ଜାତୀୟ

ବିବାହ ଉତ୍ସବରେ ବ୍ୟାପିଲା କରୋନା: ବରଙ୍କ ମୃତ୍ୟୁ, କନ୍ୟା ସମେତ ୯ ଆକ୍ରାନ୍ତ

ଲକ୍ଷ୍ନୌ,୧୦ା୧୨: ଉତ୍ତରପ୍ରଦେଶର ଫିରୋଜାବାଦରୁ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଗୋଟିଏ ପରିବାରର ୯ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମିତଙ୍କ ମଧ୍ୟରେ ବରଙ୍କ ମୃତ୍ୟୁ ଘଟିଥିବା ବେଳେ ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି। ୧୦ ଦିନ ପୂର୍ବରୁ ଉଭୟ ବରକନ୍ୟା ବିବାହ କରିଥିଲେ। ତେବେ ଡିସେମ୍ବର ୪ରେ ବରଙ୍କ ମୃତ୍ୟୁ ଘଟିଥିଲା।

ସୂଚନାନୁଯାୟୀ, ବରଙ୍କୁ ଜ୍ୱର ଏବଂ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲା। ମାତ୍ର ତାଙ୍କର କରୋନା ପରୀକ୍ଷା କରାଯାଇ ନ ଥିଲା। ଏହା ପରେ ଯେତେବେଳେ ପରିବାର ଲୋକଙ୍କୁ କରୋନା ସନ୍ଦେହରେ ଅନୁସନ୍ଧାନ କରାଯାଇଥିଲା, ସେତେବେଳେ ୯ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ନୀତା କୁଲଶ୍ରେଷ୍ଠ କହିଛନ୍ତି, ଯୁବକ ଜଣକ ୨୫ ନଭେମ୍ବରରେ ବିବାହ କରିଥିଲେ। ବିବାହର କିଛି ସମୟ ପରେ ଯୁବକଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇ ଡିସେମ୍ବର ୪ରେ ମୃତ୍ୟୁ ଘଟିଥିଲା। କରୋନା ପରୀକ୍ଷଣରେ ବରଙ୍କ ସମେତ ୯ ଜଣଙ୍କର ପଜିଟିଭ୍‌ ରିପୋର୍ଟ ଆସିଥିଲା। ଏଥିରେ କନ୍ୟାଙ୍କ ମା’ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି।

ଏହା ବ୍ୟତୀତ ଗାଁର ଅନ୍ୟ ଲୋକଙ୍କ କରୋନା ପରୀକ୍ଷା ପାଇଁ ଏକ ମେଡିକାଲ କ୍ୟାମ୍ପ ଖୋଲାଯାଇଛି। ଡକ୍ଟର ନୀତା କହିଛନ୍ତି, ଗ୍ରାମରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ପରୀକ୍ଷଣ ଶିବିର ସ୍ଥାପନ କରାଯାଇଛି। କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବ।

ଡକ୍ଟର ନୀତା ଏହା ମଧ୍ୟ ସୂଚନା ଦେଇଛନ୍ତି, ଏପର୍ଯ୍ୟନ୍ତ ଜିଲାରେ ୩୬୭୩ ଜଣ କରୋନା ଆକ୍ରାନ୍ତ ହୋଇସାରିଛନ୍ତି। ସେମାନଙ୍କ ମଧ୍ୟରୁ ୬୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭୧ ଜଣ ଚିକିତ୍ସିତ ହେଉଛନ୍ତି।

Share