ବର ପଢ଼ିପାରିଲେନି ଖବରକାଗଜ: କନ୍ୟା ଭାଙ୍ଗିଦେଲେ ବାହାଘର

ଅରୈୟା,୨୫।୬: ପୂର୍ବରୁ ବିବାହ ଭାଙ୍ଗିବା ନେଇ ଅନେକ କାରଣ ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି, ବର ଖବରକାଗଜ ପଢ଼ି ନ ପାରିବାରୁ ବିବାହ ଭାଙ୍ଗିଯିବା କଥା। ଏଥିସହ ବରଙ୍କ ନାଁରେ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି। କିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦେଶ ଅରୈୟା ଜିଲାର ଜନପଦ ସଦର ଜମାଲିପୁର ଗାଁରେ। ସୂଚନାଯୋଗ୍ୟ, ଅରୈୟା ଜିଲାର ଜନପଦ ସଦର ଜମାଲିପୁର ଗାଁରେ ରହୁଥିବା ଅର୍ଜୁନ ସିଂହଙ୍କ ଝିଅଙ୍କ ବିବାହ ଉଛଲଦା ଗାଁର ଶିବମଙ୍କ ସହ ଜୁନ ୨୦ରେ ଠିକ୍‌ ହୋଇଥିଲା।

ଦୁଇ ଦିନ ପୂର୍ବରୁ ଘରେ ଖୁସିର ମାହୋଲ ଥିବା ବେଳେ ବିବାହ ଦିନ ବରଯାତ୍ରୀ କନ୍ୟା ଘରେ ପହଞ୍ଚିଥିଲେ। ବରଙ୍କ ସ୍ବାଗତ ସମୟରେ କନ୍ୟାପକ୍ଷ ତାଙ୍କୁ ଚଷମାରେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ବିବାହର ସମସ୍ତ କାର୍ଯ୍ୟକ୍ରମରେ ବର ଚଷମା ପିନ୍ଧିଥିବା ଦେଖି କନ୍ୟାପକ୍ଷଙ୍କୁ ସନ୍ଦେହ ହୋଇଥିଲା। ଏହାପରେ ବିନା ଚଷମାରେ ବରଙ୍କୁ ହିନ୍ଦୀ ଖବରକାଗଜ ପଢ଼ିବାକୁ ଝିଅ ଘରଲୋକେ କହିଥିଲେ। ହେଲେ ତାଙ୍କ ଦୃଷ୍ଟିଶକ୍ତି ଦୁର୍ବଳ ଥିବାରୁ ସେ ଖବରକାଗଜ ପଢ଼ିପାରି ନଥିଲେ। ବିନା ଚଷମାରେ ବରଙ୍କୁ କିଛି ଦେଖାଯାଉ ନ ଥିବା ଅଭିଯୋଗ ଆଣିଛନ୍ତି କନ୍ୟାପକ୍ଷ। ଏହାପରେ କନ୍ୟାଜଣଙ୍କ ବିବାହ ପାଇଁ ମନା କରିବା ସହ ଦିଆଯାଇଥିବା ସମସ୍ତ ଯୌତୁକକୁ ଫେରାଇବାକୁ କନ୍ୟାପକ୍ଷ କହିଥିଲେ। କିନ୍ତୁ ବରପକ୍ଷ ଏଥିରେ ରାଜି ହୋଇ ନ ଥିଲେ। ଏନେଇ ବରପକ୍ଷଙ୍କ ବିରୋଧରେ କନ୍ୟାପକ୍ଷ ଅରୈୟା ଥାନାରେ ଏକ ମାମଲା ରୁଜୁ କରିଛନ୍ତି।

Share