ଗ୍ରିନରଙ୍କୁ ରୁଷିଆରେ ୯ ବର୍ଷ ଜେଲ

ମସ୍କୋ, ୫ା୮: ଡ୍ରଗ୍ସ ଚାଲାଣ ଅଭିଯୋଗରେ ଆମେରିକାର ବାସ୍କେଟବଲ ଖେଳାଳି ବ୍ରିଟନି ଗ୍ରିନରଙ୍କୁ ରୁଷିଆର ଏକ କୋର୍ଟ ଗୁରୁବାର ୯ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଏକ ନିୟୁତ ରୁବଲ(୧୬,୯୯୦ ଡଲାର) ଜରିମାନା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଫଳରେ ରୁଷୀୟ ପୋଲିସ ଏହି ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜୟିନୀଙ୍କୁ ଜେଲରେ ଭର୍ତ୍ତି କରିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ରାୟକୁ ଅସ୍ବୀକାର କରିବା ସହ ତୁରନ୍ତ ତାଙ୍କୁ ମୁକୁଳାଇବାକୁ କହିଛନ୍ତି। ଗ୍ରିନର ଜେଲକୁ ଯିବାବେଳେ କହିଥିଲେ‘ମୁଁ ମୋ ପରିବାରକୁ ଭଲପାଏ’। ଏହା ପୂର୍ବରୁ ସେ କ୍ୟାଟ୍ରିଜ୍‌ ନେଇ ଯାଇଥିବା ସ୍ବୀକାର କରିଥିଲେ ହେଁ ପ୍ୟାକିଂବେଳେ ଭୁଲବଶତଃ ତାକୁ ନିଜ ବ୍ୟାଗ୍‌ରେ ଭର୍ତ୍ତି କରିଥିବା କହିଥିଲେ। ବିଚାରପତି ରାୟ ଶୁଣାଇବା ପୂର୍ବରୁ ଗ୍ରିନର କାନ୍ଦି କାନ୍ଦି ତାଙ୍କ ଜୀବନ ଶେଷ ନ କରିବାକୁ ନେହୁରା ହୋଇଥିଲେ।
ମହିଳା ବାସ୍କେଟବଲ ଆସୋସିଏଶନ(ଡବ୍ଲ୍ୟୁଏନ୍‌ବିଏ) ଷ୍ଟାର ତଥା ଦୁଇଥର ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜୟିନୀ ଗ୍ରିନର ଗତ ଫେବୃୟାରୀ ୧୭ରେ ଏକ ମ୍ୟାଚରେ ଭାଗ ନେବା ପାଇଁ ରୁଷିଆରେ ପହଞ୍ଚିଥିବାବେଳେ କ୍ୟାଟ୍ରିଜ୍‌ରେ ଗଞ୍ଜେଇ ଭର୍ତ୍ତି କରି ନେଇଥିବା ଅଭିଯୋଗରେ ପୋଲିସ ଗିରଫ କରିଥିଲା। ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ ଆକ୍ରମଣ ନିର୍ଦ୍ଦେଶ ଦେବା ପରେ ଆମେରିକା ସହ ମସ୍କୋ ସମ୍ପର୍କ ଖରାପ ହୋଇଥିଲା। ୩୧ ବର୍ଷୀୟା ଗ୍ରିନରଙ୍କ ଗିରଫଦାରି ଏହି ସମ୍ପର୍କରେ ଆହୁରି ତିକ୍ତତା ଭରିଦେବା ସହ ଝଡ଼ ସୃଷ୍ଟି କରିଛି। ତେବେ ତାଙ୍କ ଦଣ୍ଡାଦେଶ ଆମେରିକା ଓ ରୁଷିଆ ମଧ୍ୟରେ ବନ୍ଦୀ ପ୍ରତ୍ୟର୍ପଣ ପାଇଁ ପଥ ଉନ୍ମୁକ୍ତ କରିପାରେ। ଗ୍ରିନରଙ୍କ ମୁକ୍ତି ବଦଳରେ ରୁଷିଆ ନିଜର ଜଣେ ଅସ୍ତ୍ରଚାଲାଣକାରୀଙ୍କୁ ଖଲାସ କରିବା ପାଇଁ ଓ୍ବାଶିଂଟନ ନିକଟରେ ଦାବି ରଖିବ।

Share