ଗ୍ରେଟା ଥନବର୍ଗ ଗିରଫ…

ବର୍ଲିନ,୧୮।୧ : ଜର୍ମାନୀର ଲୁଟେଜରାଥରେ ଏକ କୋଇଲା ଖଣି ସମ୍ପ୍ରସାରଣକୁ ବିରୋଧ କରି ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ଗ୍ରେଟାଙ୍କ ସହ ପୋଲିସ ଅନ୍ୟ ଜଳବାୟୁ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଅଟକ ରଖିଥିଲା। ତେବେ କିଛି ସମୟ ପାଇଁ ଜେଲରେ ରହିବା ପରେ ଗ୍ରେଟା ଥନବର୍ଗଙ୍କୁ ମୁକ୍ତ କରାଯାଇଥିବା ପୋଲିସ କହିଛି।

କୋଇଲା ଖଣିର ସମ୍ପ୍ରସାରଣ ପାଇଁ ଲୁଟେଜରାଥ ଗାଁକୁ ଧ୍ୱଂସ କରିବା ବିରୋଧରେ ପ୍ରଦର୍ଶନ ବେଳେ ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହ ଗିରଫ କରାଯାଇଥିବା ପୋଲିସ କହିଛି। ପୋଲିସ ଚେତାବନୀ ଦେଇଛି ଯେ ଯଦି କାର୍ଯ୍ୟକର୍ତ୍ତା ଗୋଷ୍ଠୀ ଖଣି ଅଞ୍ଚଳରୁ ଦୂରେଇ ନ ଯାଆନ୍ତି, ତେବେ ସେମାନଙ୍କୁ ବଳପୂର୍ବକ ହଟାଇ ଦିଆଯିବ।

ୟୁରୋପୀୟ ଶକ୍ତି କମ୍ପାନୀ ଆରଡବ୍ଲୁଇର ମାଲିକାନାରେ ଥିବା ଗାରଜୱେଲର ଲିଗନାଇଟ କୋଇଲା ଖଣିର ସମ୍ପ୍ରସାରଣ ପାଇଁ ଏକ ଗାଁ ଧ୍ୱଂସ ହେବା ଆଶଙ୍କା ରହିଛି। ଏହାକୁ ବିରୋଧ କରି ଶତାଧିକ ଜଳବାୟୁ କାର୍ଯ୍ୟକର୍ତ୍ତା ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବୋଲି ଜର୍ମାନ ନ୍ୟୁଜ ଏଜେନ୍ସି ଡିପିଏ ରିପୋର୍ଟ କରିଛି। ଥରେ ଉଚ୍ଛେଦ ପ୍ରକ୍ରିୟା ସମାପ୍ତ ହେବା ପରେ, କମ୍ପାନୀ ଗାଁ ଚାରିପାଖରେ ୧.୫ କିଲୋମିଟର ପରିଧିରେ ବାଡ଼ ନିର୍ମାଣ କରିବାକୁ ଯୋଜନା କରିଛି। କୋଠା, ରାସ୍ତାଘାଟ ଏବଂ ସ୍ବେରେଜ ଭାଙ୍ଗିବା ପୂର୍ବରୁ ଗାଁକୁ ସମ୍ପୂର୍ଣ୍ଣ ସିଲ କରାଯିବ ବୋଲି କମ୍ପାନୀ କହିଛି।

Share