ନିଜ ଦେଶ ନାଁରେ ମାମଲା କଲେ ଗ୍ରେଟା

ଷ୍ଟକ୍‌ହୋମ୍‌,୨୬।୧୧: ଜଳବାୟୁ ପରିବର୍ତ୍ତନ ପୃଥିବୀ ଆଗରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛି। ଏହାର ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ବିଶ୍ୱର ସର୍ବାଧିକ ଜଣାଶୁଣା କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ଗ୍ରେଟା ଥନ୍‌ବର୍ଗ ଏବେ ନିଜ ଦେଶ ସୁଇଡେନ୍‌ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁଇଡେନ୍‌ର ଜଳବାୟୁ ନୀତି ଦେଶର ସମ୍ବିଧାନର ଉଲ୍ଲଂଘନ କରୁଥିବା ସେ ଅଭିଯୋଗ ଆଣିଛନ୍ତି। ଗ୍ରେଟାଙ୍କ ସହ ଏହି ଆଇନଗତ ଲଢ଼େଇରେ ୬୦୦ରୁ ଊର୍ଦ୍ଧ୍ୱ ଜଣ ସାମିଲ ହୋଇଛନ୍ତି।
ଯୁବ ପରିବେଶବିତ୍‌ ଗ୍ରେଟା ଥନ୍‌ବର୍ଗଙ୍କ ସମେତ ବହୁ ସଂଖ୍ୟକ କୁନି କ୍ଲାଇମେଟ୍‌ ଆକ୍ଟିଭିଷ୍ଟଙ୍କ ଅଭିଯୋଗ ହେଲା ସେମାନଙ୍କ ଦେଶର ସରକାର ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ ପର୍ଯ୍ୟାପ୍ତ ପଦକ୍ଷେପ ନେଉନାହାନ୍ତି। ଏହା ସୁଇଡେନ୍‌ ସମ୍ବିଧାନ ଓ ମାନବ ଅଧିକାର ସମ୍ପର୍କିତ ୟୁରୋପୀୟ ସନ୍ଧିର ଉଲ୍ଲଂଘନ। ଏଥିଯୋଗୁ ବର୍ତ୍ତମାନ ଓ ଭବିଷ୍ୟତର ପିଢ଼ି ଭଲ ପରିବେଶରୁ ବଞ୍ଚତ୍ତ ହେବେ। ତେଣୁ ସରକାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ପ୍ରକାଶ ଯେ, ୨୦୧୭ରେ ସୁଇଡେନ୍‌ ଏକ ଜଳବାୟୁ ଆଇନ ପ୍ରଣୟନ କରିଥିଲା। ଉକ୍ତ ଆଇନ ଅନୁସାରେ ସରକାର ଉତ୍ସର୍ଜନ ହ୍ରାସ କରି ୨୦୪୫ ମସିହା ସୁଦ୍ଧା ନେଟ୍‌-ଜିରୋ ଲକ୍ଷ୍ୟ ହାସଲ କରିବେ ବୋଲି ସ୍ଥିର କରାଯାଇଥିଲା। କିନ୍ତୁ ସରକାର ଏହାକୁ ଏକ ସଙ୍କଟ ବୋଲି କେବେ ବିବେଚନା କରୁନାହାନ୍ତି ବୋଲି ମୁଖ୍ୟ ଆବେଦନକାରୀ ୨୦ ବର୍ଷୀୟ ଆଣ୍ଟୋନ୍‌ ଫୋଲି କହିଛନ୍ତି। ଶୁକ୍ରବାର ଷ୍ଟକ୍‌ହୋମ୍‌ସ୍ଥିତ ଏକ କୋର୍ଟରେ ଏହି ମାମଲା ଦାଏର ହୋଇଛି।

Share