ଟ୍ରମ୍ପ୍‌ଙ୍କୁ ତାଙ୍କ ଭାଷାରେ କଟାକ୍ଷ କଲେ ଗ୍ରେଟା

ଓ୍ବାଶିଂଟନ, ୭।୧୧(ଆଇଏଏନ୍‌ଏସ୍‌): ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ସ୍ବିଡେନ୍‌ର ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ତାଙ୍କ ନିଜ ଭାଷାରେ କଟାକ୍ଷ କରିଛନ୍ତି। ଭୋଟ ଗଣତି ବନ୍ଦ କରିବା ଲାଗି ଟ୍ରମ୍ପ୍‌ ଟୁଇଟ୍‌ କରିଥିବାବେଳେ ୧୭ ବର୍ଷୀୟା ଗ୍ରେଟା ମାଇକ୍ରୋ-ବ୍ଲଗିଙ୍ଗ୍‌ ପ୍ଲାଟ୍‌ଫର୍ମରେ ଏହାର ଜବାବ ଦେଇ ‘ଅତି ହାସ୍ୟାସ୍ପଦ’ ବୋଲି ଉଲ୍ଲେଖ କରିଛନ୍ତି। ଟ୍ରମ୍ପ୍‌ ତାଙ୍କ କ୍ରୋଧ ପରିଚାଳନା ସମସ୍ୟାର ସମାଧାନ କରନ୍ତୁ ଏବଂ ନିଜକୁ ଶାନ୍ତ କରିବା ଲାଗି ଜଣେ ବନ୍ଧୁଙ୍କ ସହ ଯାଇ ଗୋଟିଏ ଭଲ ପୁରୁଣା ଫ୍ୟାଶନ୍‌ର ଚଳଚ୍ଚିତ୍ର ‘ଚିଲ୍‌ ଟ୍ରମ୍ପ୍‌, ଚିଲ୍‌’ ଦେଖନ୍ତୁ। ଗ୍ରେଟାଙ୍କର ଏହି ଟୁଇଟ୍‌କୁ କିଛି ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲାଇକ୍‌ କରିଥିବାବେଳେ ୩ ଲକ୍ଷ ରିଟୁଇଟ୍‌ କରିଛନ୍ତି। ସୂଚନାଯୋଗ୍ୟ ଗ୍ରେଟାଙ୍କୁ ଟାଇମ୍‌ ପତ୍ରିକା ‘ପର୍ସନ ଅଫ୍‌ ଦି ଇୟର’ ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଥିବାବେଳେ ଏହାକୁ ସମାଲୋଚନା କରି ଟ୍ରମ୍ପ୍‌ ୨୦୧୯ ଡିସେମ୍ବର ୧୨ରେ ଅନୁରୂପ ମନ୍ତବ୍ୟ ଟୁଇଟ୍‌ କରିଥିଲେ। ସେ ଲେଖିଥିଲେ, ଏହା ଅତ୍ୟନ୍ତ, ହାସ୍ୟାସ୍ପଦ, ଗ୍ରେଟା ତାଙ୍କ କୋଧ ପରିଚାଳନା ସମସ୍ୟା ଦିଗରେ କାର୍ଯ୍ୟ କରନ୍ତୁ ଓ ପରେ ଜଣେ ବନ୍ଧୁଙ୍କ ସହ ଯାଇ ‘ଚିଲ୍‌ ଗ୍ରେଟା, ଚିଲ୍‌’ ପୁରୁଣା ଫ୍ୟାଶନ ଚଳଚ୍ଚିତ୍ର ଦେଖନ୍ତୁ।

Share