Categories: ଜାତୀୟ

କୁଲଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ, ଜଣେ ପୋଲିସ ଶହୀଦ

ଶ୍ରୀନଗର,୧୪ ।୮: ଜମ୍ମୁ-କଶ୍ମୀରରେ ଏବେ ଆତଙ୍କବାଦୀମାନେ ବିଳମ୍ବିତ ରାତିରେ ଆକ୍ରମଣ କରୁଛନ୍ତି । ଶନିବାର ରାତିରେ ଆତଙ୍କବାଦୀମାନେ କୁଲଗାମର କୈମୋହରେ ଗ୍ରେନେଡ ଆକ୍ରମଣ କରିଛନ୍ତି । ଏଥିରେ ଜଣେ ପୋଲିସ କର୍ମୀ ଶହୀଦ ହୋଇଥିବା ଜଣାପଡିଛି । ଏହି ଘଟଣାପରେ ସେଠାରେ ସୁରକ୍ଷାକର୍ମୀ ପହଞ୍ଚିବା ବେଳକୁ ଆତଙ୍କବାଦୀମାନେ ଫେରାର ହୋଇଯାଇଥିଲେ ।
ଜମ୍ମୁ-କଶ୍ମୀର ପୋଲିସର ସୂଚନା ଅନୁଯାୟୀ, କୁଲଗାମରେ ଶନିବାର ରାତିରେ ଗ୍ରେନେଡ ଆକ୍ରମଣ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା । ଏହି ଘଟଣାରେ ପୁଞ୍ଚର ମେନ୍ଦର ନିବାସୀ ତାହିର ଖାଁ ନାମକ ଜଣେ ପୋଲିସକର୍ମୀ ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ଲାଗି ଅନନ୍ତନାଗର ଜିଏମସି ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ସେ ଶହୀଦ ହୋଇଯାଇଥିଲେ ।
ଏହା ପୂର୍ବରୁ ଶନିବାର ଜମ୍ମୁ-କଶ୍ମୀର ଶ୍ରୀନଗରର ଇଦଗାହ ଅଞ୍ଚଳରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ମାଡ କରିଥିଲେ । ଏଥିରେ ସିଆରପିଏଫର ଜଣେ ଯବାନ ଆହତ ହୋଇଥିଲେ ।

Share