ଇନ୍ଦୋରରେ ଗ୍ରୀନ୍‌ ଫଙ୍ଗସ୍‌

ଇନ୍ଦୋର,୧୬।୬: କରୋନା ସଂକ୍ରମଣରୁ ଠିକ୍‌ ହେବା ପରେ ବ୍ୟକ୍ତିଙ୍କ ନିକଟରେ ଏବେ ବ୍ଲାକ୍‌, ହ୍ବାଇଟ ଓ ୟେଲୋ ଫଙ୍ଗସ୍‌ ପରେ ଏବେ ଗ୍ରୀନ୍‌ ପଙ୍ଗସ୍‌ ଲକ୍ଷଣ ଚିହ୍ନଟ ହୋଇଛି। ଯାହାକୁ ନେଇ ବିଶେଷଜ୍ଞ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ପୂର୍ବରୁ ଦେଶରେ ବ୍ଲାକ୍‌, ହ୍ବାଇଟ ଓ ୟେଲୋ ଫଙ୍ଗସ୍‌ ଦେଖାଯାଇଥିବା ବେଳେ ପ୍ରଥମ ଥର ମଧ୍ୟପ୍ରଦେଶ ଇନ୍ଦୋରରେ ଗ୍ରୀନ ଫଙ୍ଗସ୍‌ର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଇନ୍ଦୋରର ଗ୍ରୀନ୍‌ ଫଙ୍ଗସ୍‌ ରୋଗୀଙ୍କୁ ଏୟାରଲିଫ୍ଟ କରାଯାଇ ମୁମ୍ବାଇର ହିନ୍ଦୁଜା ରାଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଇନ୍ଦୋରର ସ୍ବାସ୍ଥ୍ୟ ବିଭାଗର ଡାଟା ମ୍ୟାନେଜର ଅର୍ପୁବା ତିଓ୍ବାରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଦେଢ଼ ମାସରୁ ଇନ୍ଦୋରର ଅରୋବିନ୍ଦୋ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ହସ୍ପିଟାଲରେ ଉକ୍ତ ରୋଗୀଙ୍କ ଚିକିତ୍ସା ଚାଲିଥିଲା। ଉକ୍ତ ବ୍ୟକ୍ତି ଜଣକ କରୋନା ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇଯାଇଥିଲେ। ତାଙ୍କ ନିକଟରେ ବ୍ଲାକ୍‌ ଫଙ୍ଗସ୍‌ ଲକ୍ଷଣ ଦେଖାଯିବା ସନ୍ଦେହରେ ଯାଞ୍ଚ କରାଯାଇଥିଲା। କିନ୍ତୁ ଏହି ଯାଞ୍ଚ ସମୟରେ ତାଙ୍କ ଫୁସ୍‌ଫୁସ୍‌ ଓ ରକ୍ତରେ ଗ୍ରୀନ ଫଙ୍ଗସ୍‌ ଲକ୍ଷଣ ମିଳିଥିଲା। ତାଙ୍କ ଫୁସ୍‌ଫୁସ୍‌ ୯୦ପ୍ରତିଶତ ସଂକ୍ରମିତ ହୋଇଥିବା ନେଇ ଅରୋବିନ୍ଦୋ ହସ୍ପିଟାଲର ଜଣେ ଡାକ୍ତର ରବି ଦୋସି ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ପରୀକ୍ଷଣ ସମୟରେ ଜଣାପଡ଼ିଥିଲା ଯେ, ଗ୍ରୀନ୍‌ ଫଙ୍ଗସ୍‌ ବ୍ଲାକ୍‌ ଫଙ୍ଗସ୍‌ର ଠାରୁ ପୁରା ଭିନ୍ନ। ତେବେ ଏନେଇ ଗବେଷଣା କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ବୋଲି ଡାକ୍ତର ରବି ଦୋସି କହିଛନ୍ତି।

Share