ଗଞ୍ଜାମ,୪।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟକୁ ମିଳିଛି ବଡ଼ ସଫଳତା। ଏକାଥରରେ ୮ ଜଣ ଏନ୍ସିସି କ୍ୟାଡେଟ ଭାରତୀୟ ସଶସ୍ତ୍ର ବାହିନୀର ଅଗ୍ନିବୀର ଭାବେ ମନୋନୀତ ହୋଇ ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ମନୋନୀତ କ୍ୟାଡେଟମାନେ ହେଲେ ପ୍ରେମାନନ୍ଦ ବେହେରା, ଦେବାଶିଷ ବେହେରା, ଦେବାଶିଷ ପ୍ରଧାନ, ଗଣେଶ ମହାପାତ୍ର, ତରୁଣ ଡୋରା, ଟୁକୁନା ରେଡ୍ଡୀ, ଆନନ୍ଦ ନାୟକ ଓ ସମୀର ନାହାକ।
ଏହି ସଫଳତା ଅବସରରେ ଗଞ୍ଜାମ ମହାବିଦ୍ୟାଳୟର ଏନ୍ସିସି ନୌସେନା ୟୁନିଟ ପକ୍ଷରୁ ମନୋନୀତ କ୍ୟାଡେଟ୍ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏକାଥରେ ୮ ଜଣ କ୍ୟାଡେଟଙ୍କୁ ଅଗ୍ନିବୀର ଭାବେ ମନୋନୟନ ମହାବିଦ୍ୟାଳୟ ପାଇଁ ଏକ ଗୌରବମୟ ସଫଳତା ବୋଲି କଲେଜ ଅଧକ୍ଷା ଡ଼ଃ ସ୍ମରଣିକା ହୋତା ମତ ବ୍ୟକ୍ତ କରିଥିଲେ l ନିଷ୍ଠା, ଶୃଙ୍ଖଳା ଓ କଠୋର ପରିଶ୍ରମ ଯୋଗୁଁ ସେମାନେ ଏହି ସଫଳତା ହାସଲ କରିପାରିଛୁ ବୋଲି ମନୋନୀତ କ୍ୟାଡରମାନେ କହିଛନ୍ତି। ସେମାନଙ୍କ କୃତିତ୍ୱ ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଦେଶସେବା ଓ ଉଚ୍ଚ ଲକ୍ଷ୍ୟ ହାସଲ ପାଇଁ ପ୍ରେରଣା ଯୋଗାଇବ ବୋଲି କଲେଜ ପକ୍ଷରୁ କୁହାଯାଇଛି।
ଏଥିସହ ଏନ୍ସିସିର ଏଏନଓ ଡ. ଦୁର୍ଗା ପ୍ରସାଦ ଦାଶଙ୍କ ଦୀର୍ଘଦିନର ମାର୍ଗଦର୍ଶନ ଓ ପ୍ରଶିକ୍ଷଣକୁ ନିଜ ସଫଳତାର ପ୍ରମୁଖ କାରଣ ବୋଲି କହିଛନ୍ତି।
ଗଞ୍ଜାମ ମହାବିଦ୍ୟାଳୟ ଦୀର୍ଘଦିନ ଧରି ଶିକ୍ଷା ସହ ଏନ୍ସିସି, କ୍ରୀଡ଼ା ଓ ବ୍ୟକ୍ତିତ୍ୱ ବିକାଶ କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଆସୁଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଛାତ୍ରଛାତ୍ରୀମାନେ ମନୋନୀତ କ୍ୟାଡେଟମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଓ ଗୌରବମୟ ଭବିଷ୍ୟତ କାମନା କରିଥିଲେ।