ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର! ୨୦%ରୁ ଅଧିକ ଇଥାନଲ ମିଶିବ ପେଟ୍ରୋଲରେ, ସ୍ପଷ୍ଟ କଲେ…

ଦେଶରେ ପ୍ରଚଳିତ ୨୦% ଇଥାନଲ୍‌ ମିଶ୍ରିତ ପେଟ୍ରୋଲ (ଇ-୨୦) ଯୋଗୁ ଗାଡ଼ି ଯନ୍ତ୍ରାଂଶ ଖରାପ ହେଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ଦୃଢ଼ ବିରୋଧ କରାଯାଇ କେଉଁଠି ନା କେଉଁଠି ଆନ୍ଦୋଳନ ହୋଇଆସୁଛି। କେତେକ ପ୍ରମୁଖ ଗାଡ଼ି ନିର୍ମାଣକାରୀ କମ୍ପାନୀ ଓ ଆସୋସିଏଶନ ଏହା ବିରୋଧରେ ପ୍ରଥମେ ସ୍ବର ଉଠାଇ ପରେ ଚାପରେ ନୀରବ ରହିଛନ୍ତି। ଏଭଳିସ୍ଥଳେ କେନ୍ଦ୍ର ସରକାର ପେଟ୍ରୋଲରେ ୨୦%ରୁ ଅଧିକ ପରିମାଣର ଇଥାନଲ୍‌ ମିଶ୍ରଣ ପାଇଁ କାର୍ଯ୍ୟ କରୁଛନ୍ତି, ଯାହାକି ଫ୍ଲେକ୍ସି-ଫୁଏଲ୍‌ ଯାନଗୁଡ଼ିକର ବ୍ୟବହାର ଦ୍ୱାରା ସମ୍ଭବ ହୋଇପାରିବ ବୋଲି ବୁଧବାର ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ତରୁଣ କପୁର ସୂଚନା ଦେଇଛନ୍ତି। ‘ଦି ଇଣ୍ଡିଆ ସୁଗାର ଆଣ୍ଡ୍‌ ବାୟୋ-ଏନର୍ଜି କନ୍‌ଫରେନ୍ସ ୨୦୨୬’ର ୪ର୍ଥ ସଂସ୍କରଣରେ ଆଭାସି ମାଧ୍ୟମରେ ଯୋଗଦେଇ କପୁର କହିଛନ୍ତି, ବର୍ତ୍ତମାନର ଇ-୨୦ କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳ ହୋଇଛି। ଅନେକ ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଖୁବ୍‌ଶୀଘ୍ର ଫ୍ଲେକ୍ସି-ଫୁଏଲ୍‌ ଗାଡ଼ି ବଜାରକୁ ଆଣିବାକୁ ଯୋଜନା କରୁଛନ୍ତି। ତେଣୁ ଆଗାମୀ ଦିନରେ ଇ-୨୦ରୁ ଅଧିକ ପରିମାଣର ଇଥାନଲ୍‌ ମିଶ୍ରଣ ଏବଂ ପେଟ୍ରୋଲ ପମ୍ପଗୁଡ଼ିକରେ ସିଧାସଳଖ ଶୁଦ୍ଧ ଇଥାନଲ୍‌ର ଉପଲବ୍ଧତା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କପୁର କହିଛନ୍ତି।

ନୂଆଦିଲ୍ଲୀ, ୧୦ା୯ ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ଯୋଗୁ ଅଶୋଧିତ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ପ୍ରାୟ ୧୦୦ ଡଲାର ନିକଟରେ ପହଞ୍ଚିଛି। ଏଭଳି ସ୍ଥିତିରେ ଦେଶୀୟ ବାୟୋଫୁଏଲ (ଜୈବ ଇନ୍ଧନ) ଶକ୍ତି ନିରାପତ୍ତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ବର୍ତ୍ତମାନ ଦେଶରେ ଇଥାନଲ୍‌ ଉତ୍ପାଦନ କ୍ଷମତା ଆବଶ୍ୟକତାଠାରୁ ଅଧିକ ରହିଥିବାରୁ ଏହାର ବ୍ୟବହାର ବୃଦ୍ଧି ପାଇଁ ଅନ୍ୟ ବିକଳ୍ପ ଖୋଜାଯାଉଛି ବୋଲି ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ତରୁଣ କପୁର କହିଛନ୍ତି। ଏହାସହ ଇ-୨୦ ମିଶ୍ରଣକୁ ନେଇ କିଛି ଗୁଜବ ଓ ଭ୍ରାନ୍ତ ଧାରଣା ପ୍ରଚାରିତ ହେଉଥିବା ଦର୍ଶାଇ କପୁର କହିଛନ୍ତି, ବିଭିନ୍ନ ଗବେଷଣାରୁ ଇ-୨୦ ର କାର୍ଯ୍ୟଦକ୍ଷତା ଉତ୍ତମ ପ୍ରମାଣିତ ହୋଇଛି। ଏହାର ଉଚ୍ଚ ଅକ୍ଟେନ ମାତ୍ରା ଇନ୍ଧନ କ୍ଷମତାକୁ ସନ୍ତୁଳିତ ରଖିଥାଏ। ସେହିପରି ଡିଜେଲ କ୍ଷେତ୍ରରେ ‘ଆଇସୋବୁଟାନୋଲ’ ଭଳି ବାୟୋଫୁଏଲ ଆଡିଟିଭ୍‌ର ପରୀକ୍ଷଣ ଚାଲିଛି। ଏହା ସଫଳ ହେଲେ ଜୈବ ଇନ୍ଧନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବ। ସରକାରଙ୍କ ନୂତନ ‘ଗୋବର୍ଦ୍ଧନ’ ଯୋଜନା ମାଧ୍ୟମରେ କମ୍ପ୍ରେସେଡ୍‌ ବାୟୋଗ୍ୟାସ୍‌ (ସିବିଜି) ଏବଂ ପଟାସ ଭଳି ଦ୍ରବ୍ୟ ଉତ୍ପାଦନକୁ ପ୍ରୋତ୍ସାହିତ କରାଯାଉଛି। ବାୟୋଫୁଏଲ କ୍ଷେତ୍ରରେ ହୋଇଥିବା ନିବେଶ ସୁରକ୍ଷିତ ରହିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share