ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା: ସୁବର୍ଣ୍ଣରେଖାରେ ବଡ଼ ବନ୍ୟା

ଭୁବନେଶ୍ୱର,୨୨।୮(ବ୍ୟୁରୋ): ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଭୟଙ୍କର ବନ୍ୟା ପରେ ଏବେ ଉତ୍ତର ଓଡ଼ିଶା ପାଇଁ ବିପଦ ସୃଷ୍ଟି ହୋଇଛି। ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗାଲୁଡିହ ବ୍ୟାରେଜରୁ ୬ଲକ୍ଷ କ୍ୟୁସେକ ପାଣି ଆସୁଛି। ଏହା ଫଳରେ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ଆସିଛି। ସୁବର୍ଣ୍ଣରେଖା ଜାମଶୋଳାଘାଟଠାରେ ୫୩.୩୪ମିଟର ଉଚ୍ଚରେ ଜଳପତ୍ତନ ରହିଛି। ଏହା କ୍ରମଶଃ ବୃଦ୍ଧି ପାଉଛି। ଜାମଶୋଳା ଘାଟରେ ସୁବର୍ଣ୍ଣରେଖା ଏବେ ବିପଦ ସଂକେତ ଠାରୁ ୪ମିଟର ଉପରେ ରହିଛିି। ତେଣୁ ଏହା ବଡ଼ ବନ୍ୟାର ରୂପ ନେବା ଆଶଙ୍କା ବଢ଼ିଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା କହିଛନ୍ତି। ରବିବାର ରାଜ୍ୟରେ ବନ୍ୟା ସ୍ଥିତି ସମ୍ପର୍କରେ ସୂଚନା ଦେଇ ଜେନା କହିଛନ୍ତି ଯେ, ୨୦୦୮ରେ ସୁବର୍ଣ୍ଣରେଖାରେ ସବୁଠୁ ବଡ଼ ବନ୍ୟା ଆସିଥିବା କୁହାଯାଉଥିବା ବେଳେ ଏଥର ତା’ଠାରୁ ଅଧିକ ପ୍ରଭାବ ପଡ଼ିବ। ମୟୂରଭଞ୍ଜର କିଛି ସ୍ଥାନ, ବାଲେଶ୍ୱରର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ ପ୍ରଭାବିତ ହେବ। ଏସବୁ ଅଞ୍ଚଳରେ ବନ୍ୟାର ପ୍ରକୋପ ଅଧିକ ରହିବ।

ଏହାର ପ୍ରଭାବ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ ଓ ଅଗ୍ନିଶମ ବାହିନୀର ୪୦ ଟିମ୍‌ ମୁତୟନ ହେବେ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ବନ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମନ୍ତ୍ରୀ ପ୍ରତାପ ଦେବଙ୍କୁ ଉକ୍ତ ଅଞ୍ଚଳକୁ ପଠାଇଛନ୍ତି। ସେ ସମସ୍ତ ଜନ ପ୍ରତିନିଧିମାନଙ୍କୁ ନେଇ ସ୍ଥିତିର ମୁକାବିଲା ଦିଗରେ କାମ କରୁଛନ୍ତି। ବନ୍ୟା ଯୋଗୁ ବାଲେଶ୍ୱର ଜିଲାରେ ୧.୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଯୁଗ୍ମ ଏସ୍‌ଆର୍‌ସି ପଦ୍ମନାଭ ବେହେରା କହିଛନ୍ତି।
ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ ଉପରେ ରହିଛି। ଆଖୁଆପଦାରେ ଜଳପତ୍ତନ ୧୮.୯୯ମିଟର ରହିଥିବା ବେଳେ ଏହା ବୃଦ୍ଧି ପାଉଛି। ବୈତରଣୀ ପାଇଁ ଯାଜପୁର ଓ ଭଦ୍ରକ ଜିଲାକୁ ଆଲର୍ଟରେ ରଖିଛୁ। ବ୍ରାହ୍ମଣୀ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରହିଥିବା ଏସ୍‌ଆର୍‌ସି କହିଛନ୍ତି। ସେହିପରି ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବୁଢ଼ାବଳଙ୍ଗ ବିପଦ ସଙ୍କେତ ଅତିକ୍ରମ କରିନାହିଁ। କିଛି ସ୍ଥାନରେ ଏହାର ଜଳସ୍ତର ଖସିବା ଆରମ୍ଭ କରିଛି। କାଣୀ ନଦୀରେ ହୋଇଥିବା ଘାଇର ମରାମତି ହୋଇପାରି ନ ଥିଲା। ତେଣୁ ପୁଣି ବନ୍ୟା ଆସିବାରୁ ସେଠାରେ ପାଣି ପଶିବା ଆରମ୍ଭ ହୋଇଯାଇଛି।
ଅପରପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୧୫.୩ ବୃଷ୍ଟିପାତ ରେକର୍ଡ କରାଯାଇଛି। ରବିବାର ଅପରାହ୍ନ ସୁଦ୍ଧା ହୀରାକୁଦର ଜଳପତ୍ତନ ୬୨୧.୨୬ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୬୮ହଜାର ୪୫୧ କ୍ୟୁସେକ ଜଳ ପ୍ରବେଶ କରୁଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୧ଲକ୍ଷ ୨୦ହଜାର ୧୭୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଖଇରମାଳଠାରେ ୩ଲକ୍ଷ ୬୫ହଜାର କ୍ୟୁସେକ, ବଡ଼ମୂଳଠାରେ ୫ଲକ୍ଷ ୭୬ହଜାର କ୍ୟୁସେକ, ମୁଣ୍ଡଳୀଠାରେ ୮ଲକ୍ଷ ୬୦ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ମୁଣ୍ଡଳୀ ସମେତ ମହାନଦୀର ସବୁ ସ୍ଥାନରେ ଜଳପତ୍ତନ କ୍ରମଶଃ ହ୍ରାସ ପାଉଛି।
ମିଳିଥିବା ସୂଚନାନୁସାରେ, ଏବେ ସୁଦ୍ଧା ୧୩ ଜିଲାର ୭୩ ବ୍ଲକ ୬୦୯ ପଞ୍ଚାୟତର ୨,୨୩୮ ଗ୍ରାମ ପ୍ରଭାବିତ ହୋଇଛି। ରାଜ୍ୟର ୭୬୮ ଗ୍ରାମ ଜଳ ଘେରରେ ରହିଥିବା ବେଳେ ୫ଲକ୍ଷ ୪୫ହଜାର ଲୋକ ଜଳବନ୍ଦୀରେ ରହିଛନ୍ତି। ଏସବୁ ଅଞ୍ଚଳର ୩୨୪ ରିଲିଫ କେନ୍ଦ୍ରରେ ୧ଲକ୍ଷ ୨୪ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ବନ୍ୟା ପ୍ରଭାବରେ ୫ଲକ୍ଷ ୬୧ହଜାର ୪୧୮ ବିଦ୍ୟୁତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୫ଲକ୍ଷ ୨୧ହଜାର ୫୬୦ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇସାରିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୮୫ ମେଡିକାଲ ରିଲିଫ କେନ୍ଦ୍ର ଖୋଲା ଯିବା ସହ ୧୧୫ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଚିକିତ୍ସା ଟିମ୍‌ ମୁତୟନ ହୋଇଛି। ଏହି ସମୟରେ ୭,୩୦୦ ସାଧାରଣ ରୋଗର ଚିକିତ୍ସା ହୋଇଥିବାବେଳେ ୧୨ ସାପ କାମୁଡ଼ା ଘଟଣାର ଚିକିତ୍ସା କରାଯାଇଥିବା ଏସ୍‌ଆର୍‌ସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି।