ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ପ୍ରାଣୀ ଓ ଉଦ୍ଭିଦ ଜଗତ ପରସ୍ପର ପରିପୂରକ। ବୃକ୍ଷ ନ ରହିଲେ ପ୍ରାଣୀଜଗତ ତିଷ୍ଠି ରହିପାରିବ ନାହିଁ। ଅମ୍ଳଜାନ ବୃକ୍ଷଲତାଠାରୁ ଆସିଥିବା ବେଳେ କ୍ଷତିକାରକ ଅଙ୍ଗାରକାମ୍ଳକୁ ବୃକ୍ଷ ଗ୍ରହଣ କରିଥାଏ। ଉଦ୍ଭିଦ ଜଗତରେ ରହିଛି ଲକ୍ଷାଧିକ ପ୍ରଜାତିର ଔଷଧୀୟ ବୃକ୍ଷ। ସେଗୁଡ଼ିକର ବ୍ୟବହାର ବା ଔଷଧୀୟ ପ୍ରୟୋଗ ପାଇଁ ଅଧ୍ୟୟନ ସହ ସଂରକ୍ଷଣ ମଧ୍ୟ ଜରୁରୀ।
ଏହି ବିଷୟରେ ଅଧ୍ୟୟନ ପରେ କଳାହାଣ୍ଡି ଜିଲା ମା’ମାଣିକେଶ୍ୱରୀ ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତି ସ୍ବର୍ଗତ ପ୍ରଫେସର ସଞ୍ଜୟ ଶତପଥୀଙ୍କ ଉଦ୍ୟମ ଓ ବଟ୍ନୀ ବିଭାଗ ମୁଖ୍ୟ ଡ଼. ଘନଶ୍ୟାମ ବେହେରାଙ୍କ ପ୍ରୟାସରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ୧୦୦ଟି ଗଛରେ କ୍ୟୁଆର୍ କୋଡ ଲଗାଯାଇଛି। ଆଗକୁ ଆହୁରି ୫୦୦ଟି ଗଛରେ କ୍ୟୁଆର୍ କୋଡ ଲାଗିବ।
ସ୍ମାର୍ଟ ଫୋନରେ ଏହାକୁ ସ୍କାନ କଲେ ଗଛର ଓଡ଼ିଆ, ହିନ୍ଦୀ, ଇଂଲିଶ ଓ ବଟାନିକାଲ ନାମ, ବୃକ୍ଷର ଔଷଧୀୟ ଗୁଣ, କାର୍ଯ୍ୟ, ଉପକାରିତା ବିଷୟରେ ଜଣେ ସହଜରେ ଜାଣିପାରିବ। ଗଛକୁ କ୍ୟୁଆର୍ କୋଡିଂ କରିବା ଏକ ସୁନ୍ଦର ବ୍ୟବସ୍ଥା, ଯାହା ମାଧ୍ୟମରେ ଡିଜିଟାଲ ଉପାୟରେ ବୃକ୍ଷ ସମ୍ପର୍କରେ ତଥ୍ୟ ହାସଲ କରିହେବ। ନୂଆ ପିଢ଼ିର ଛାତ୍ରୀଛାତ୍ର ବୃକ୍ଷର କ୍ୟୁଆର ସ୍କାନ କରି ଗଛଗୁଡ଼ିକର ଉପକାରିତା ବିଷୟରେ ଜାଣିବା ଦ୍ବାରା ବୃକ୍ଷର ସଂରକ୍ଷଣ ହୋଇପାରିବ।
ଅନେକ ପ୍ରଜାତିର ବୃକ୍ଷଲତା, ଗୁଳ୍ମ ଧୀରେଧୀରେ ଲୁପ୍ତ ହେବାକୁ ଯାଉଛି। ଆଉ ଯେଉଁମାନେ ଏହିସବୁ ଗଛପତ୍ରକୁ ଚିହ୍ନିଛନ୍ତି ସେମାନେ ମଧ୍ୟ ଆଗକୁ ନ ଥିବେ। ତେଣୁ ସେମାନେ ବଞ୍ଚିଥିବା ସମୟରେ ବୃକ୍ଷଲତାକୁ ଚିହ୍ନଟ କରାଯାଇ ସରକାରୀସ୍ତରରେ ହେଉ କି ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ କ୍ୟୁଆର୍ କୋଡ ଲଗାଇବା ବ୍ୟବସ୍ଥା କଲେ ବୃକ୍ଷଗୁଡ଼ିକର ପରିଚୟ ଲୋକଲୋଚନକୁ ଆସିବା ସହ ଗଛଠାରୁ ଲୋକେ ଅନେକ ସୁଫଳ ପାଇପାରିବେ ଭାବି ଏହି ଅଭିନବ ବ୍ୟବସ୍ଥାକୁ ସ୍ବର୍ଗତ ପ୍ର. ଶତପଥୀ କାର୍ଯ୍ୟକାରୀ କରିଥିଲେ ବୋଲି ବଟ୍ନି ବିଭାଗ ମୁଖ୍ୟ ଡ. ବେହେରା କହିଛନ୍ତି।
ଗଛରେ କ୍ୟୁଆର୍ କୋଡ ପ୍ରଥମେ ଇଂଲଣ୍ଡର ଦକ୍ଷିଣ ଲଣ୍ଡନର କ୍ୟୁରେ ଅବସ୍ଥିତ ରୟାଲ ବଟାନିକାଲ ଗାର୍ଡେନରେ ୨୦୧୧ରେ ବ୍ୟବହାର ହୋଇଥିଲା। ଏହା ହେଉଛି ପୃଥିବୀର ଏକ ବୃହତ୍ତମ ଗାର୍ଡେନ ଯେଉଁଠି ୩୦,୦୦୦ ପ୍ରକାରର ବୃକ୍ଷ ରହିଛି।
ଭାରତରେ ପ୍ରଥମେ କେରଳରେ ଅବସ୍ଥିତ ଥାଲାସେରି ହେରିଟେଜ ଗାର୍ଡେନରେ ୨୦୧୩ ମସିହାରେ କ୍ୟୁଆର୍ କୋଡ ଲାଗିଥିଲା, ଯାହାକୁ ପର୍ଯ୍ୟଟକ ଉପଯୋଗ କରି ବୃକ୍ଷ ବିଷୟରେ ଜାଣିପାରୁଛନ୍ତି। ମା’ ମାଣିକେଶ୍ୱରୀ ବିଶ୍ବବିଦ୍ୟାଳୟଠାରେ ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷରେ କ୍ୟୁଆର୍ କୋଡ ଲାଗି ସଂରକ୍ଷିତ କରାଯିବା ଏକ ଉପଲବ୍ଧି। ଏହି ଦିଗରେ ବଟାନି ବିଭାଗ ମୁଖ୍ୟଙ୍କ ସମେତ ଅଧ୍ୟାପକ ଗଣନାଥ ବାଗ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି।
କ୍ୟାମ୍ପସର ବିଭିନ୍ନ ବୃକ୍ଷରେ କ୍ୟୁଆର୍ କୋଡ ଲାଗିବା ଦ୍ବାରା ଛାତ୍ରୀଛାତ୍ର ଓ ଗବେଷଣାରତ ବିଦ୍ୟାର୍ଥୀମାନେ ଅନେକ ବୃକ୍ଷ ସମ୍ପର୍କରେ ଅବଗତ ହେଉଛନ୍ତି। ସବୁ ବଟାନିକାଲ ଗାର୍ଡେନ, ରାସ୍ତାକଡ଼ରେ ଥିବା ବୃକ୍ଷ, ଜଙ୍ଗଲ ପାଶର୍ବରେ ଥିବା ଗଛମାନଙ୍କରେ କ୍ୟୁଆର୍ କୋଡ ଲଗାଇବାକୁ ପ୍ରଶାସନ ଦୃଷ୍ଟି ଦେବା ଦରକାର ବୋଲି ମତପ୍ରକାଶ ପାଉଛି।


