ମାଡ଼ି ଆସୁଛି ମହାବିପଦ: ଦବିଯିବ ପୃଥିବୀ

ଓ୍ବାଶିଂଟନ, ୨୭।୭: ପୃଥିବୀରେ କରୋନା ମହାମାରୀ ନେଇ ଆତଙ୍କ ଦେଖାଦେଇଛି। କରୋନା ପରେପରେ ଆଗାମୀ ୨୦ ବର୍ଷ ମଧ୍ୟରେ ପୃଥିବୀ ପାଇଁ ମହାବିପଦ ମାଡ଼ିଆସୁଛି ବୋଲି ପରିବେଶ ବିଜ୍ଞାନୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ୨୦୪୦ ସୁଦ୍ଧା ପୃଥିବୀ ୧୩୦ କୋଟି ଟନ୍‌ ବର୍ଜ୍ୟ ପ୍ଲାଷ୍ଟିକ୍‌ ବୋଝରେ ଦବିଯିବ ବୋଲି ପୂର୍ବାନୁମାନ କରାଯାଇଛି। କରୋନା ମହାମାରୀରୁ ଦୂରେଇ ରହିବା ଲାଗି ବ୍ୟବହୃତ ହେଉଥିବା ପିପିଇ କିଟ୍‌, ଗ୍ଲୋଭସ୍‌ ଏବଂ ଅନ୍ୟ ଚିକିତ୍ସା ଉପକରଣ ପ୍ଲାଷ୍ଟିକ୍‌ରୁ ପ୍ରସ୍ତୁତ ହେଉଛି। ଏସବୁକୁ ବ୍ୟବହାର ପରେ ମନଇଛା ଫିଙ୍ଗି ଦିଆଯାଉଛି। ଏହାଯୋଗୁ ସୃଷ୍ଟି ହେଉଥିବା ପ୍ଲାଷ୍ଟିକ୍‌ ବର୍ଜ୍ୟର ଓଜନ ଆଉ ପୃଥିବୀ ସହିପାରିବ ନାହିଁ। ୨୦୪୦ ବେଳକୁ ଆମେରିକାରେ ୭୧ କୋଟି ଟନ୍‌ ବର୍ଜ୍ୟ ପ୍ଲାଷ୍ଟିକ୍‌ ସୃଷ୍ଟି ହୋଇଥିବା। ମଣିଷ ଏସବୁକୁ ସମୁଦ୍ରରେ ଫୋପାଡ଼ିବାର ଯୋଜନା କରୁଛି। ତେବେ ଏହାଦ୍ୱାରା ସାମୁଦ୍ରିକ ଇକୋସିଷ୍ଟମ୍‌ ବିଗିଡ଼ିଯିବ ବୋଲି ପରିବେଶବିତ୍‌ ମତପୋଷଣ କରିଛନ୍ତି। ଏକ ଗ୍ଲୋବାଲ୍‌ ମଡେଲ ପକ୍ଷରୁ ଏହି ରିପୋର୍ଟ ସାଇନ୍ସ୍‌ ଜର୍ନାଲ୍‌ରେ ପ୍ରକାଶିତ ହୋଇଛି। ଏନେଇ ଲିଡସ୍‌ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ. କୋଷ୍ଟାସ୍‌ ଓ୍ବେଲିସ୍‌ କହିଛନ୍ତି ଯେ, ପ୍ରକାଶିତ ରିପୋର୍ଟ ନିଶ୍ଚିତଭାବେ ଚିନ୍ତାଜନକ। ତେବେ ମଣିଷ ସମାଜ ସଚେତନ ହେଲେ ଏହାର ସମାଧାନ ସମ୍ଭବ ହୋଇପାରିବ। ଏନେଇ ଆମେରିକାର ପ୍ୟୁ ଚାରିଟେବୁଲ୍‌ ଟ୍ରଷ୍ଟ୍‌ ପକ୍ଷରୁ ବିନି ଲାଓ କହିଛନ୍ତି ବର୍ଜ୍ୟ ପ୍ଲାଷ୍ଟିକ୍‌ ସମସ୍ୟା ପୃଥିବୀ ପାଇଁ ସଙ୍କଟ ସୃଷ୍ଟି କରିବ। ସମୁଦ୍ର ଗର୍ଭକୁ ଯାଉଥିବା ପ୍ଲାଷ୍ଟିକ୍‌ ମାତ୍ରା ୮୦ ପ୍ରତିଶତ ପର୍ଯ୍ୟନ୍ତ କମ୍‌ କରିପାରିଲେ ଇକୋସିଷ୍ଟମକୁ ସୁରକ୍ଷିତ ରଖାଯାଇପାରିବ। ଏଥିପାଇଁ ବିକଶିତ ଜ୍ଞାନକୌଶଳ ଆଧାରରେ ବର୍ଜ୍ୟ ପ୍ଲାଷ୍ଟିକ୍‌କୁ ନଷ୍ଟ କରାଯିବା ସହିତ ସହଜରେ ବିଘିତ ହୋଇପାରୁଥିବା ପଦାର୍ଥର ବ୍ୟବହାର ଅପରିହାର୍ଯ୍ୟ।

Share