ଦକ୍ଷିଣ, ଉତ୍ତରପୂର୍ବରେ ବଡ଼ ଚିନ୍ତା

ନୂଆଦିଲ୍ଲୀ,୨୭ା୫: ଭାରତରେ ମଙ୍ଗଳବାର ୨,୦୮,୯୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୧,୫୭,୭୯୫ରେ ପହଞ୍ଚତ୍ଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୪,୧୫୭ ଜଣଙ୍କ ଜୀବନ ଯିବା ପରେ ମୋଟ ମୃତ୍ୟୁସଂଖ୍ୟା ୩,୧୧,୩୮୮ ଡେଇଁଛି। ମୋଟାମୋଟି ଭାବେ ଦେଖିଲେ ଦେଶର ଦକ୍ଷିଣ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ପଜିଟିଭ୍‌ ହାର ଓ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ରହିଛି। ଅନ୍ୟପକ୍ଷେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁସାରେ ପଜିଟିଭ୍‌ ହାର ୫% ତଳକୁ ରହିଲେ କୋଭିଡ୍‌-୧୯ ସଂକ୍ରମଣ ନିୟନ୍ତ୍ରଣରେ ରହିଛି ବୋଲି କୁହାଯାଇପାରିବ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସକାଳ ୮ଟାରେ ଅପ୍‌ଡେଟ୍‌ କରାଯାଇଥିବା ତଥ୍ୟାନୁସାରେ ମଙ୍ଗଳବାର ଗୋଟିଏ ଦିନରେ ୨୨,୧୭,୩୨୦ ଜଣଙ୍କ ସାମ୍ପୁଲ ଟେଷ୍ଟ କରାଯାଇଥିଲା। ଏହା ହେଉଛି ଅଦ୍ୟାବଧି ସର୍ବାଧିକ ନମୁନା ପରୀକ୍ଷା। ମଙ୍ଗଳବାରର ଟେଷ୍ଟକୁ ମିଶାଇଲେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩୩,୪୮,୧୧,୪୯୬ ଜଣଙ୍କ ନମୁନା ସଂଗ୍ରହ କରାଯାଇ ସାରିଲାଣି। ବର୍ତ୍ତମାନ ଦେଶରେ ପଜିଟିଭିଟ୍‌ ହାର ୯.୪୨% ରହିଛି। ଲଗାତର ଦ୍ୱିତୀୟ ଦିନ ଧରି ପଜିଟିଭ୍‌ ହାର ୧୦% ତଳେ ରହିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପଜିଟିଭ୍‌ ହାର ଆନ୍ଧ୍ର ଓ କର୍ନାଟକରେ ୨୦% ଉପରେ ରହିଛି। କେରଳରେ ଏହା ୨୦% ତଳେ ଥିବାବେଳେ ତାମିଲନାଡୁରେ ପ୍ରାୟ ୨୦% ରହିଛି। କର୍ନାଟକରେ ୧୭% ଉପରେ ପଜିଟିଭ୍‌ ହାର ରହିଛି। ସେହିପରି ଗୋଆ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକିମ ଓ ପଶ୍ଚିମବଙ୍ଗରେ ମଧ୍ୟ ସ୍ଥିତି ଉଦ୍‌ବେଗଜନକ ରହିଛି।
ଅନ୍ୟପକ୍ଷରେ ସକ୍ରିୟ ମାମଲା ୨୪,୯୫,୫୯୧କୁ ଖସିଛି। ୨୪ ଘଣ୍ଟାରେ ୨,୯୫,୯୫୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏହାସହ ଦେଶରେ ମୋଟ ଭଲ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୨,୪୩,୫୦,୮୧୬ରେ ପହଞ୍ଚତ୍ଛି। ଜାତୀୟ ସ୍ତରରେ ରିକଭରି ରେଟ୍‌ ୮୯.୬୬% ରହିଥିବା ମନ୍ତ୍ରଣାଳୟ ଦର୍ଶାଇଛି। ଏହି ଅବଧି ମଧ୍ୟରେ ପ୍ରାଣ ହରାଇଥିବା ୪,୧୫୭ ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ରର ସର୍ବାଧିକ ୧,୧୩୭ ଜଣ ହୋଇଥିବାବେଳେ କର୍ନାଟକର ୫୮୮ ଜଣ ରହିଛନ୍ତି। ସେହିପରି ତାମିଲନାଡୁର ୪୬୮, କେରଳର ୧୭୭, ପଞ୍ଜାବର ୧୭୪ ଏବଂ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର ୧୫୭ ଲେଖାଏ କୋଭିଡ୍‌ରେ ପ୍ରାଣ ହରାଇଛନ୍ତି। ଦିଲ୍ଲୀରେ ୧୫୬ ଓ ହରିୟାଣା ୧୨୮, ଆନ୍ଧ୍ରପ୍ରଦେଶରେ ୧୦୬ କରୋନା ସଂକ୍ରମିତଙ୍କ ଜୀବନ ଯାଇଛି। ଏହାସହ ମୋଟ ମୃତ୍ୟୁସଂଖ୍ୟା ୩,୧୧,୩୮୮ ଡେଇଁଛି।

Share