ଛାତରେ ଫଳୁଛି ସେଓ, ଅଙ୍ଗୁର

ନବରଙ୍ଗପୁର,୨୮।୩(ବି.ପ୍ର.):ନବରଙ୍ଗପୁର ଚାମୁରିଆଗୁଡ଼ାସ୍ଥିତ ଜଗନ୍ନାଥ ରଥ ଜଣେ ଭେଷଜକ। ରୋଗୀଙ୍କୁ ସେବା ଯୋଗାଇବା ସହ ପ୍ରକୃତିକୁ ମଧ୍ୟ ସେତିକୁ ଭଲ ପାଆନ୍ତି। ନିଜ ଘରେ ବିଭିନ୍ନ ବୃକ୍ଷ ଲତା ଫଳ ଫୁଲ ଲଗାଇ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ଜଗନ୍ନାଥ। ଗଛଟିଏ ଲଗାଇ ସେଠାରେ ଫଳ ଓ ଫୁଲ ଫଳାଇଲେ ଖୁସି ଲାଗିଥାଏ। ନବରଙ୍ଗପୁର ଭଳି ପାଣିପାଗରେ ଅଙ୍ଗୁର ଓ ସେଓ ଫଳିବ ନା ନାହିଁ ବୋଲି ସନ୍ଦେହ ଥିବାବେଳେ କିନ୍ତୁ ଭେଷଜକ ଜଗନ୍ନାଥ ଏହାକୁ ସମ୍ଭବ କରି ପାରିଛନ୍ତି। ସେ ନିଜ ବାଡ଼ରେ ଲଗାଇଛନ୍ତି ସେଓ ଅଙ୍ଗୁର ଲଗାଇଛନ୍ତି। ଏବେ ସେ ସବୁ ଫଳ ଧରିଲାଣି। ଏଥିସହ ଛାତ ଉପରେ ଲେମ୍ବୁ, ଆମ୍ବ, ଡାଲିମ୍ବ, କମଳା, ଜାମୁନ, ନସପାତି ଭଳି ଫଳ ଫଳିଛି। ତାଙ୍କ ବାଡରେ ହୋଇଥିବା ୮ ପ୍ରକାର ଗୋଲାପୀ ଫୁଲ ସମସ୍ତଙ୍କୁ ଆକୃଷ୍ଠ କରୁଛି। କେବଳ ଏତିକି ନୁହେଁ ଧଳା ଅରଖ, ନିରଗୁଣ୍ଡି, ବରୁଣ, ବାତରାଜ, ଗୁଳୁଚି, ହିଞ୍ଜଳ, ଅଁଳା, ଘି କୁଆଁରି ଭଳି ଅନେକ ଔଷଧୀୟ ବୃକ୍ଷ ଲତା ମଧ୍ୟ ଲଗାଇଛନ୍ତି। ରୋଗୀ ସେବା ସହ ଭଳିକି ଭଳି ଫୁଲ ଫଳ ଗଛ ଲଗାଇ ଫସଲ କରିବା ଖୁସି ଦେଉଛି ବୋଲି ସେ କହିଛନ୍ତି। ସୂଚନାନୁଯାୟୀ, ଜଗନ୍ନାଥ ନିରନ୍ତର ଭାବେ ଲୋକଙ୍କୁ ରୋଗୀସେବା ଯୋଗାଇବା ଓ ଜଣେ ସାମାଜିକ କର୍ମୀଭାବେ ମଧ୍ୟ ଜିଲାରେ ବେଶ ପରିଚିତ। ଏନେଇ ଜିଲା ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି।