ଓଲଟିଲା ଅଙ୍ଗୁର ବୋଝେଇ ଟ୍ରକ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କେନ୍ଦୁଝର,୧୦।୪(ସ୍ବ.ପ୍ର.): ମହାରାଷ୍ଟ୍ରର ନାସିକରୁ କେନ୍ଦୁଝର ଦେଇ ପଶ୍ଚିମବଙ୍ଗ ଯାଉଥିବା ଅଙ୍ଗୁର ବୋଝେଇ ଟ୍ରକ ଓଲଟି ପଡ଼ିଛି। ରବିବାର ବିଳମ୍ବିତ ରାତିରେ ତେଲକୋଇ ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ ବିଞ୍ଝବାହାଳ ଓ ଜଗମୋହନପୁର ମଝିରେ ହନୁମାନ ବଟିକା ପାଖରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଅଙ୍ଗୁର ଚାରିଆଡ଼େ ବିଛାଡି ହୋଇ ପଡ଼ିଯାଇଥିଲା। ସୌଭାଗ୍ୟବଶତଃ ଡ୍ରାଇଭର ମହମ୍ମଦ ମଣ୍ଟୁ ଶେଖ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ହନୁମାନ ବଟିକା ପାଖରେ ରାସ୍ତାଟି ଉଚ୍ଚାନିଚା ଥିବାରୁ ଅଙ୍ଗୁର ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ରାଜପଥର ଡିଭାଇଡର ଉପରେ ଚଢିଯାଇ ଓଲଟିପଡିଥିଲା। ଫଳରେ ରାସ୍ତା ଉପରେ ଅଙ୍ଗୁର ଟ୍ରେ ଗୁଡ଼ିକ ବିଛାଡି ହୋଇପଡ଼ିଯାଇଥିଲା। ପରେ ପୋଲିସ ଓ ଏନ୍‌ଏଚ୍‌ଏଆଇ ଟୋଲ ଗେଟ କର୍ମଚାରୀ ରାସ୍ତାରୁ ଟ୍ରକକୁ ହଟାଇବା ପରେ ରାସ୍ତାରେ ଯାତାୟତ ସ୍ବଭାବିକ ହୋଇଥିଲା। ନିଆଁ ଲାଗି କେତେକ ଅଙ୍ଗୁର ଥିବା ଟ୍ରେ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। ତେବେ ବହୁ ପରିମାଣରେ ଅଙ୍ଗୁର ନଷ୍ଟ ହୋଇଯାଇଛି।