ଆସିଥିବା ଅନୁଦାନ ଅନ୍ୟଠି ଖର୍ଚ୍ଚ ହେଲା

ବୈପାରିଗୁଡ଼ା,୧୭ା୧ (ଡି.ଏନ୍‌.ଏ.):କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଲକରେ ପ୍ରଶାସନ ପକ୍ଷରୁ ଚାଲିଛି ମନମାନି କାର୍ଯ୍ୟ। ସାଧାରଣ ଲୋକଙ୍କ ସ୍ବାର୍ଥ ବଦଳରେ ଏଠାରେ ଠିକାଦାରଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦିଆଯାଉଛି। ଅମୃତସରୋବର ଯୋଜନା ବ୍ଲକରେ ବାଟବଣା ହୋଇଥିବା ଅଭିଯୋଗ ହେଉଛି। ଏହି ଯୋଜନାରେ ଏକ ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ମନମାନି ଦେଖିବାକୁ ମିଳିଛି। ଗୋଟିଏ ପୋଖରୀ କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ଅନ୍ୟ ଏକ ପୋଖରୀରେ ଖର୍ଚ୍ଚ କରାଯାଇଛି।
ଖବରରୁ ଜଣାପଡ଼ିଛି, ଗତବର୍ଷ ସ୍ଥାନୀୟ ପଶ୍ଚିମେଶ୍ୱର ମନ୍ଦିର ନିକଟସ୍ଥ ପୋଖରୀକୁ ଅମୃତସରୋବର ଯୋଜନାରେ ସୌନ୍ଦର୍ଯ୍ୟକରଣ ପାଇଁ ବୈପାରିଗୁଡ଼ା ପଞ୍ଚାୟତରେ ଗ୍ରାମସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା। ପରେ ଏହାକୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅନୁମୋଦନ କରିଥିଲା। ଏ ବାବଦକୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏମ୍‌ଏନ୍‌ଆରଇଜିଏସ୍‌, ସିଏଫ୍‌ସି ଓ ଏସ୍‌ଏଫ୍‌ସିରେ ୧୦ ଲକ୍ଷ ଟଙ୍କା ଦେଇଥିଲା। ପୋଖରୀରୁ ପଙ୍କ ଉଦ୍ଧାର, ପାହାଚ ନିର୍ମାଣ, ଫୁଲଗଛ ଲଗାଇବା, ଲୋକଙ୍କ ବସିବା ପାଇଁ କଂକ୍ରିଟ୍‌ ବେଞ୍ଚ ନିର୍ମାଣ, ଚାରିପଟେ କଣ୍ଟା ତାରବାଡ ଦେବାରେ ଏହି ଅର୍ଥ ବିନିଯୋଗ ହେବା କଥା। ଗତବର୍ଷ ଜୁନରେ ଉକ୍ତ ପୋଖରୀ ହୁଡ଼ାରେ ଏ ସଂକ୍ରାନ୍ତରେ ଏକ ସୂଚନା ଫଳକ ଲାଗିବା ସହ ପୋଖରୀରେ ପଙ୍କ ଉଦ୍ଧାର କାମ ଆରମ୍ଭ ହୋଇଥିଲା। ତେବେ ବର୍ଷା ଦିନ ଯୋଗୁ କାମ ବନ୍ଦ ରହିଥିଲା। ମାତ୍ର ବର୍ଷାଋତୁ ପରେ ଆଉ କାମ ଆଗେଇ ନ ଥିଲା। ଏବେ ଏହି କାର୍ଯ୍ୟକୁ ମଇନାପଡା ଗ୍ରାମକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ା ପରିବର୍ତ୍ତିତ ପୋଖରୀଟି ଜନବସତିଠାରୁ କିଛି ଦୂରରେ ଥିବାବେଳେ ସେହି ପୋଖରୀକୁ ଲୋକେ ବ୍ୟବହାର କରୁନାହାନ୍ତି। ଗୋଟିଏ ସ୍ଥାନରେ କାମ ଆରମ୍ଭ ପରେ ପୁଣି ସେହି କାର୍ଯ୍ୟ ଅନ୍ୟତ୍ର ସ୍ଥାନାନ୍ତର ହେବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଏ ସମ୍ପର୍କରେ ବ୍ଲକ ସହକାରୀ ଯନ୍ତ୍ରୀ ଏଲ୍‌.ଡି. ନାୟକଙ୍କୁ ପଚାରିବାରୁ ସେ କହିଲେ, ପୂର୍ବ ନିର୍ଦ୍ଧାରିତ ପୋଖରୀରେ ଜାଗା ଅଭାବ କାରଣରୁ ସ୍ଥାନ ପରିବର୍ତ୍ତନ କରାଯାଇଥିବା ସଫେଇ ଦେଇଥିଲେ। ଏଥିପାଇଁ କୌଣସି ଚାପ ନ ଥିବା ସେ କହିଥିଲେ ା ତେବେ କାମ ହେବା ପୂର୍ବରୁ ଏକଥା ବ୍ଲକ ବୈଷୟିକ ବିଭାଗ କେମିତି ଜାଣିପାରିଲା ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।