ଅନୁଦାନ କମୁଛି: କେନ୍ଦ୍ରୀୟ ଯୋଜନା ବାଟବଣା ଆଶଙ୍କା

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ହ୍ରାସପାଉଛି। ଏଥିଯୋଗୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କାର୍ଯ୍ୟକାରୀ କରିବା ନେଇ ସମସ୍ୟା ଦେଖାଦେଇଛି। ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକବର୍ଷରେ ପ୍ରାୟ ୩୨,୮୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇବେ ବୋଲି ଆକଳନ କରିଥିଲେ। ତେବେ ଏହି ଆଶା ମଉଳିବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷର ବଜେଟରେ ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ବାବଦରେ ୩୧,୭୮୮ କୋଟି ୬୪ ଲକ୍ଷ ଟଙ୍କା ପାଇବେ ବୋଲି ଅଟକଳ କରିଛନ୍ତି। ତେବେ ୨୦୨୩ ଜାନୁୟାରୀ ଶେଷ ସୁଦ୍ଧା ରାଜ୍ୟ ସରକାର ମାତ୍ର ୧୧,୧୧୦ କୋଟି ୪୫ ଲକ୍ଷ ଟଙ୍କା ପାଇଛନ୍ତି। ଏହା ବଜେଟ ହିସାବର ପ୍ରାୟ ୩୪ ପ୍ରତିଶତ। ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ଅଳ୍ପ କେଇଦିନ ଥିବାବେଳେ କେନ୍ଦ୍ରୀୟ ଅନୁଦାନ ଆଶାନୁରୂପ ମିଳିବା ନେଇ ଆଶଙ୍କା ଉପୁଜିଛି।
ରାଜ୍ୟ ସରକାର କେନ୍ଦ୍ରରୁ ଅନୁଦାନ ଓ ରାଜ୍ୟ ଅଂଶଧନ ଟିକସ ପାଇଥାନ୍ତି। ଚଳିତ ଆର୍ଥିକ ବର୍ଷରେ ଅନୁଦାନ ଓ ଅଂଶଧନ ଟିକସ ବାବଦରେ ରାଜ୍ୟ ସରକାର ୬୯,୭୬୬ କୋଟି ଟଙ୍କା ପାଇବେ ବୋଲି ବଜେଟରେ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଅନୁଦାନ କମିଥିବା ବେଳେ ଅଂଶଧନ ବଢ଼ିଥିବା ଜଣାଯାଇଛି। ଅଂଶଧନ ବାବଦରେ ରାଜ୍ୟ ସରକାର ୩୬,୯୮୭ କୋଟି ପାଇବେ ବୋଲି ଆକଳନ କରିଥିବାବେଳେ ଜାନୁୟାରୀ ଶେଷ ସୁଦ୍ଧା ୩୦,୨୩୬ କୋଟି ଟଙ୍କା ପାଇଛନ୍ତି। ଏହା ପ୍ରାୟ ୮୧ ପ୍ରତିଶତରୁ ଊର୍ଦ୍ଧ୍ୱ। ଅଂଶଧନ ୮୧ ପ୍ରତିଶତରୁ ଅଧିକ ପାଇଥିବାବେଳେ ଅନୁଦାନ ମାତ୍ର ୩୪ ପ୍ରତିଶତରେ ସୀମିତ ରହିଛି। କେନ୍ଦ୍ରୀୟ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରରୁ ଅନୁଦାନ ପାଇଥାନ୍ତି। ଏହା କମିଯିବା ଫଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ଅର୍ଥାଭାବ ଦେଖାଦେବାର ସମ୍ଭାବନା ରହିଛି। ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ଘୋଷଣା କରାଯାଇଥିବା ଅନୁଦାନ ପରିମାଣ ଦେବା ପାଇଁ ଦାବି ଉପସ୍ଥାପନ କରିଥିବା ସତ୍ତ୍ୱେ ବର୍ଷ ବର୍ଷ ଧରି ଏହା କମିବାରେ ଲାଗିଛି।
ମାତ୍ର ବିଡ଼ମ୍ବନା ଯେ ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର କେନ୍ଦ୍ରରୁ ଯେତିକି ଅନୁଦାନ ଏହି ସମୟ ମଧ୍ୟରେ ପାଇଥିଲେ ଚଳିତ ଆର୍ଥିକ ବର୍ଷରେ ତାହା କମିଯାଇଛି। ଗତ ବର୍ଷ ଜାନୁୟାରୀ ଶେଷ ସୁଦ୍ଧା ରାଜ୍ୟ ସରକାର ୧୩,୨୭୭ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇଥିବା ବେଳେ ଚଳିତ ଆର୍ଥିକ ବର୍ଷର ଜାନୁୟାରୀ ଶେଷ ସୁଦ୍ଧା ଏହା ୧୧,୧୧୦ କୋଟି ଟଙ୍କାରେ ସୀମିତ ରହିଛି। ୨୦୨୧ ଜାନୁୟାରୀ ୩୧ ଶେଷ ସୁଦ୍ଧା ରାଜ୍ୟ ସରକାର ୧୭,୬୩୨ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇଥିଲେ। କିନ୍ତୁ ଚଳିତ ବର୍ଷ ତାହା ଅପେକ୍ଷା ସାଢେ ୬ ହଜାର କୋଟି ଟଙ୍କା କମ୍‌ ପାଇଛନ୍ତି।