ଜଗନ୍ନାଥପ୍ରସାଦ,୨୮ା୧୦(ବିଭୁ ପ୍ରସାଦ ପଟ୍ଟନାୟକ): ଜେଜେ ମା’ଙ୍କ ମୃତ୍ୟୁ ପରେ ଶବ ସତ୍କାର ସାରି ତୁଠରେ ଗାଧୋଉଥିବା ସମୟରେ ପୋଖରୀରେ ବୁଡ଼ି ନାତିଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ମେଣ୍ଟପୁର ଗ୍ରାମରେ। ମୃତକ ଜଣକ ହେଲେ ଜଗନ୍ନାଥ ପ୍ରସାଦ ଥାନା ମେଣ୍ଟପୁର ଗ୍ରାମର ଅନନ୍ତ ସେଠୀଙ୍କ ପୁଅ ମିଟୁ(୪୭)।
ସୂଚନା ଅନୁଯାୟୀ, ଜେଜେ ମା’ଙ୍କ ପରଲୋକ ପରେ ମିଟୁ ଅନ୍ୟ ଗ୍ରାମବାସୀଙ୍କ ସହ ଶବ ସତ୍କାର ପାଇଁ ମଶାଣିକୁ ଯାଇଥିଲେ। ସେଠାରେ ସମସ୍ତ କାର୍ଯ୍ୟ ଶେଷ କରି ଦିନ ପ୍ରାୟ ୧୧ଟା ସମୟରେ ସେ ତୁଠରେ ଗାଧୋଉଥିଲେ। ତେବେ ଗାଧୋଇବା ସମୟରେ ହଠାତ୍ କୌଣସି କାରଣରୁ ସେ ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲେ।
ସେଠାରେ ଉପସ୍ଥିତ ଥିବା ଲୋକେ ମିଟୁଙ୍କୁ ନ ଦେଖି ଖୋଜାଖୋଜି ଆରମ୍ଭ କରିଥିଲେ। ବହୁ ସମୟ ଖୋଜାଖୋଜି କରିବା ପରେ ଗ୍ରାମବାସୀ ତାଙ୍କୁ ପୋଖରୀ ଭିତରୁ ଉଦ୍ଧାର କରିଥିଲେ। ଏ ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଇଛି। ଏହି ଘଟଣାକୁ ନେଇ ମେଣ୍ଟପୁର ଗ୍ରାମ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

