ଆସୁଥିଲେ ଅଜା-ନାତି, ଧକ୍କା ଦେଲା ଅଟୋ: ଆଉ ତା’ପରେ ଘଟିଲା…

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗାଲେରୀ ଗ୍ରାମ ପୂର୍ବରୁ ଏକ ଅଟୋ ଓ ବାଇକ ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଗାଲେରୀର ଚିତ୍ରସେନ ନାଇକ ମୃତ୍ୟୁବରଣ କରିଥିବାବେଳେ ତାଙ୍କ ନାତି ରାଜା ନାଇକ ଗୁରୁତର ଭାବେ ଆହତ ହୋଇଛନ୍ତି। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦେଇଛି। ଏଥିସହ ଗୁରୁତର ଆହତ ରାଜାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣାରୁ ପ୍ରକାଶ ଯେ, ଚିତ୍ରସେନ ଓ ତାଙ୍କ ନାତି ରାଜା ଏକ ବାଇକରେ ଆଜି ମଧ୍ୟାହ୍ନରେ ଭଞ୍ଜନଗର ଅଭିମୁଖେ ଆସୁଥିଲେ। ଏହି ସମୟରେ ଗାଲେରି ମଦ ଦୋକାନ ନିକଟରେ ଏକ ଖାଲ ଥିବା ଯୋଗୁ ରାଜା ଗାଡିଟିକୁ ରୋଡ ମଝି ଦେଇ ଯିବାପାଇଁ ଉଦ୍ୟମ କରିଥିଲେ ମଧ୍ୟ ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଅଟୋ ସହ ସେମାନଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା।

ଏହାପରେ ଅଜା ନାତିଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଅଣାଯାଇଥିଲା। ମେଡ଼ିକାଲରେ ଡାକ୍ତର ଚିତ୍ରସେନକୁ ମୃତ ଘୋଷଣା କରିଥିଲେ। ରାସ୍ତା ଖରାପ ଯୋଗୁ ଏତେବଡ ବିପଦ ଘଟିଲା ବୋଲି ସାଧାରଣରେ ଆଲୋଚନା ହେଉଛି।

ସୂଚନାଯୋଗ୍ୟ ଯେ, ଦୁଇବର୍ଷ ପୂର୍ବେ ଉକ୍ତ ରାସ୍ତା ନିର୍ମାଣ ହୋଇଥିଲା। ଏହାପରେ ରାସ୍ତାର ଅନେକ ସ୍ଥାନରେ ଖାଲଖମା ଭରି ହୋଇଗଲାଣି। କିନ୍ତୁ ଠିକାଦାର ଚୁକ୍ତି ଅନୁସାରେ ଆଉ ତାହାର ନିୟମିତ ମରାମତି କରୁନାହିଁ। ଫଳରେ ଆଜି ଏତେବଡ ବିପଦ ଘଟିଲା ବୋଲି ଆଲୋଚନା ହେଉଛି।

 

Dharitri – Odisha’s No.1 Odia Daily