ଜେଜଙ୍କ ଏକାଦଶରେ ଚାଲିଗଲା ନାତୁଣୀଙ୍କ ଜୀବନ

ନିଶ୍ଚିନ୍ତକୋଇଲି,୨୨।୨(ସ୍ବ.ପ୍ର.): ଜେଜଙ୍କ ଏକାଦଶରେ ନଦୀରେ ବୁଡି ନାତୁଣୀଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ବୁହାଳ ପଞ୍ଚୟତ ସାଧକନଗର ଅଞ୍ଚଳରେ ଘଟିଛି। ସେ ହେଲେ ଋତୁପର୍ଣ୍ଣା(୧୪)। ସୂଚନାଯୋଗ୍ୟ, ଜେଜଙ୍କ ଏକାଦଶ କର୍ମ ପାଇଁ ସାଧକନଗର ଅଞ୍ଚଳର ଅକ୍ଷୟ କୁମାର ସାହୁଙ୍କ ସ୍ତ୍ରୀ ଝୁନୁଲତାଙ୍କ ଦୁଇ ଝିଅ ଋତୁପର୍ଣ୍ଣା ଓ ସମ୍ପର୍ଣ୍ଣା (୮)ଙ୍କ ସହ ଲୁଣା ନଦୀକୁ ଗାଧୋଇବାକୁ ଯାଇଥିଲେ। ସେହି ସମୟରେ ନଦୀରେ ଋତୁପର୍ଣ୍ଣାଙ୍କ ଗୋଡ ଖସି ଯିବାରୁ ପାଣି ସୁଅରେ ଭାସି ଯାଇଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ସାନଝିଅ ମଧ୍ୟ ଭାସି ଯାଇଥିଲେ। ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ସାନଝିଅ ଓ ମା’ଙ୍କୁ ଉଦ୍ଧାର କରିଥିଲେ। ଖବରପାଇ ନିଶ୍ଚିନ୍ତକୋଇଲି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ବଡ ଝିଅଙ୍କୁ ଉଦ୍ଧାରକରି ନିଶ୍ଚିନ୍ତକୋଇଲି ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।