ଇତିହାସ ରଚିଲେ ବେୟୋନ୍ସେ

ଲସ୍‌ଏଞ୍ଜେଲ୍ସ ୭ା୨:ଆମେରିକୀୟ କଣ୍ଠଶିଳ୍ପୀ, ସ୍ବର ସଂଯୋଜିକା ଏବଂ ଡ୍ୟାନ୍ସର ବେୟୋନ୍ସେ ସର୍ବାଧିକ ‘ଗ୍ରାମୀ ଆଓ୍ବାର୍ଡ’ ଜିତି ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ଇତିହାସ ସୃଷ୍ଟି କରିଛନ୍ତି। ଆମେରିକାର ଲସ୍‌ଏଞ୍ଜେଲ୍ସଠାରେ ରବିବାର ଅନୁଷ୍ଠିତ ୬୫ତମ ଗ୍ରାମୀ ଆଓ୍ବାର୍ଡ ସମାରୋହରେ ବେୟୋନ୍ସେଙ୍କୁ ତାଙ୍କ ଆଲବମ୍‌ ‘ରେନେସାନ୍ସ’ ପାଇଁ ସମ୍ମାନିତ କରାଯାଇଛି। ବେଷ୍ଟ ଡ୍ୟାନ୍ସ ଏବଂ ଇଲେକ୍ଟ୍ରୋନିକ ମ୍ୟୁଜିକ୍‌ କାଟାଗୋରିରେ ବେୟୋନ୍ସେଙ୍କ ଆଲ୍‌ବମ୍‌କୁ ଚୟନ କରାଯାଇଥିଲା। ଚଳିତ ବର୍ଷ ସେ ଏକକାଳୀନ ୩ଟି ଆଓ୍ବାର୍ଡ ନିଜ ନାମରେ କରିଛନ୍ତି। ବେୟୋନ୍ସେ ସର୍ବାଧିକ ୩୨ଟି ଗ୍ରାମୀ ଆଓ୍ବାର୍ଡ ଜିତି ଏବେ ଅଧିକ ଚର୍ଚ୍ଚା ଓ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି।
ଏହି ଅବସରରେ ବେୟୋନ୍ସେ ନିଜ ଅଭିଭାବକ ଏବଂ ଏଲ୍‌ଜିବିଟିକ୍ୟୁ କମ୍ୟୁନିଟିକୁ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କ ଭଲ ପାଇବା ଏବଂ ସହଯୋଗ ପାଇଁ ବେୟୋନ୍ସ ଅନେକଙ୍କ ପ୍ରିୟଭାଜନ ହୋଇପାରିଥିବା କହିଛନ୍ତି। ଅନ୍ୟପକ୍ଷେ ନିଜର ଏହି ବିରାଟ ସଫଳତା ପାଇଁ ସେ ସମସ୍ତ ଶ୍ରେୟ ତାଙ୍କ ମାମୁଙ୍କୁ ଦେଇଛନ୍ତି। ତାଙ୍କ ମାମୁ ଜଣେ ସମଲିଙ୍ଗୀ ହୋଇଥିବାବେଳେ ନିଜ ମ୍ୟୁଜିକାଲ କ୍ୟାରିୟର୍‌ ଆରମ୍ଭ କରିବା ସମୟରେ ତାଙ୍କୁ ବହୁ ସାହାଯ୍ୟ କରିଥିବା ବେୟୋନ୍ସେ ଗ୍ରାମୀ ପୁରସ୍କାର ଗ୍ରହଣ କରିବାବେଳେ କହିଛନ୍ତି। ହଙ୍ଗେରୀ-ବ୍ରିଟିଶ ଗୀତିକାର ସୋଲ୍ଟି ୧୯୯୭ ମସିହାରେ ୩୧ଟି ଗ୍ରାମୀ ଆଓ୍ବାର୍ଡ ଜିତି ରେକର୍ଡ କରିଥିଲେ। ବେୟୋନ୍ସେ ବର୍ତ୍ତମାନ ସୋଲ୍ଟିଙ୍କ ଏହି ରେକର୍ଡକୁ ନିଜ ନାମରେ କରିଛନ୍ତି।
ଚଳିତବର୍ଷ ଭାରତୀୟ ମ୍ୟୁଜିକ୍‌ କମ୍ପୋଜର ରିକି ରେଜ୍‌ଙ୍କୁ ମଧ୍ୟ ଗ୍ରାମୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଙ୍କ ମ୍ୟୁଜିକାଲ ଆଲବମ୍‌ ‘ଡିଭାଇନ୍‌ ଟାଇଡ୍‌’କୁ ବେଷ୍ଟ ଇମେନ୍ସିଭ୍‌ ଅଡିଓ ଆଲବମ୍‌ କାଟାଗୋରିରେ ଚୟନ କରାଯାଇଥିଲା। ରିକି ଏବଂ ବ୍ରିଟିଶ ରକ୍‌ ବ୍ୟାଣ୍ଡ୍‌ ‘ଦି ପୋଲିସ’ ମିଳିତ ଭାବେ ଏହି ଆଲବମ୍‌ ନିର୍ମାଣ କରିଛନ୍ତି। ଏହା ରିକିଙ୍କ ତୃତୀୟ ଗ୍ରାମୀ ଆଓ୍ବାର୍ଡ। ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସେ ଏହି ପୁରସ୍କାରକୁ ଭାରତ ନାଁରେ ଉତ୍ସର୍ଗ କରିଥିବା କହିଛନ୍ତି।

Share