Categories: ଖେଳ

କୃଷ୍ଣକାୟ ଖେଳାଳିଙ୍କ ପାଇଁ ବାଟ ବନ୍ଦ କରି ଦେଇଥିଲେ ଗ୍ରେମ ସ୍ମିଥ

ଜୋହାନ୍ସବର୍ଗ, ୨୦।୫ : ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବୋର୍ଡର ଡିରେକ୍ଟର ଗ୍ରେମ ସ୍ମିଥଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଥି ଖେଳାଳି ଲୋନଓ୍ବାବୋ ସୋଟସୋବେ। ବୋର୍ଡ ନିକଟରେ ସେ ଦାଖଲ କରିଛନ୍ତି ୭ ପୃଷ୍ଠା ବିଶିଷ୍ଟ ଅଭିଯୋଗ। ଦଳରେ କୃଷ୍ଣକାୟ ଖେଳାଳି ଥାମି ସୋଲେକିଲେଙ୍କୁ ସ୍ଥାନ ଦିଆଗଲେ, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ଲାଗି ସ୍ମିଥ ଧମକ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ସୋଟସୋବେ।

୨୦୧୨ ଇଂଲଣ୍ଡ ଗସ୍ତ ପୂର୍ବରୁ ଦଳର ନିୟମିତ ଉଇକେଟକିପର ମାର୍କ ବାଉଚର ଆହତ ହୋଇଥିଲେ। ତାଙ୍କ ସ୍ଥାନରେ ସୋଲେକିଲେଙ୍କ ଭାଗ୍ୟରେ ଥିଲା ଜାତୀୟ ଦଳରେ ଖେଳିବା। କିନ୍ତୁ ଏବି ଡି’ଲିୟର୍ସଙ୍କୁ ଏହି ଦାୟିତ୍ୱ ଦେଇଥିଲେ ଅଧିନାୟକ ସ୍ମିଥ। ଉଇକେଟକିପର ଦାୟିତ୍ୱ ତୁଲାଇବା ପାଇଁ ଜଣେ ସ୍ପେଶାଲିଷ୍ଟ ଦରକାର, ଯାହାକି ଡି’ଭିଲୟର୍ସ ନ ଥିଲେ। କୃଷ୍ଣକାୟ ଖେଳାଳିଙ୍କ ଜାତୀୟ ଦଳରେ ସୁଯୋଗ ନ ଦେବା ପାଇଁ ଡି’ଭିଲୟର୍ସଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା ବୋଲି ସୋଟସୋବେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ତେବେ ଏ ସମ୍ପର୍କରେ ଗତବର୍ଷ ମୁହଁ ଖୋଲିଥିଲେ ସୋଲେକିଲେ। କିନ୍ତୁ ସିଏସ୍‌ଏ ପକ୍ଷରୁ ଯୋଗାଯୋଗ କରାଯିବା ପରେ ଅଭିଯୋଗ ସମ୍ପର୍କରେ ପଚରା ଯିବାରୁ କୌଣସି ପତିକ୍ରିୟା ଦେଇ ନାହାନ୍ତି। ଉଲ୍ଲେଖଯୋଗ୍ୟ, ସ୍ମିଥ ୨୦୦୩ରୁ ୨୦୧୪ ଅବସର ନେବା ପର୍ଯ୍ୟନ୍ତ ଜାତୀୟ ଦଳର ନେତୃତ୍ୱ ସମ୍ଭାଳିଥିଲେ।

Share