ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ ହୋଇଥିବା ଗ୍ରାମସଭାରେ ଜାଲ୍ ଦସ୍ତଖତ କରାଯାଇ ଗ୍ରାମସଭାକୁ ସଫଳ ବୋଲି ଘୋଷିତ କରିଥିବା ବାଲଡ଼ା ପାହାଡ ସୁରକ୍ଷା ସମିତି ତରଫରୁ ଅଭିଯୋଗ ହୋଇଛି। ପାହାଡ଼ ପାରିପାର୍ଶ୍ୱିକ ୫ ପଞ୍ଚାୟତବାସୀ ଏକତ୍ରିତ ହୋଇ ଶୁକ୍ରବାର ଏପରି ଗ୍ରାମସଭା ଚଳିବ ନାହିଁ ବୋଲି ନାରା ଦେଇ ନନ୍ଦପୁର ବ୍ଲକ କାର୍ଯ୍ୟାଳୟକୁ ବିଡିଓଙ୍କ ଜରିଆରେ କୋରାପୁଟ ଜିଲାପାଳ ଓ ଉପଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବାକୁ ଶୋଭାଯାତ୍ରାରେ ଆସିଛନ୍ତି। ବ୍ଲକ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ହଜାର ସଂଖ୍ୟାରେ ଲୋକେ ଜମା ହୋଇ ରହିଛନ୍ତି। ମଧ୍ୟାହ୍ନ ୧୨ଟାରୁ ଲୋକେ ଫାଟକ ସମ୍ମୁଖରେ ଅପେକ୍ଷାରେ ଥିଲେ ମଧ୍ୟ ଉପସ୍ଥିତ ନନ୍ଦପୁର ପୋଲିସ ସେମାନଙ୍କୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭିତରକୁ ପ୍ରବେଶ କରାଇ ଦେଇ ନାହିଁ କି ବିଡିଓ ଦୁର୍ଗା ପ୍ରସାଦ ଦୋରା ଫାଟକ ନିକଟକୁ ଆସି ଦାବିପତ୍ର ଗ୍ରହଣ କରି ନାହାନ୍ତି। ଫଳରେ ନନ୍ଦପୁର ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇ ରହିଛି। ଏସ୍ଆଇ ବେଦୋବର ସାହୁଙ୍କ ନେତୃତ୍ୱରେ ନନ୍ଦପୁର ପୋଲିସ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହିଛି।

