ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ସପ୍ତାହକ ପରେ ଏହି ପ୍ରକ୍ରିୟାକୁ ମାସେ ବିତିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇପାରି ନାହିଁ। ଟୋକନ ପାଇବା ପରେ ନିର୍ଦ୍ଧାରିତ ଦିବସରେ ଚାଷୀମାନେ ଧାନ କ୍ରୟ କେନ୍ଦ୍ର (ମଣ୍ଡି)କୁ ଧାନ ଆଣୁଛନ୍ତି। ମାତ୍ର ମଣ୍ଡିକୁ ଯେଉଁ ଅନୁପାତରେ ଧାନ ଆସୁଛି, ସେହି ଅନୁପାତରେ ତାକୁ କିଣାଯାଉ ନାହିଁ କିମ୍ବା ମଣ୍ଡିରୁ ଉଠାଯାଉ ନାହିଁ। ମିଲର୍ସ ମଣ୍ଡିକୁ ଆସିଲେ ଯାଇ ତାକୁ କିଣାଯାଇ ଉଠାଯାଉଛି। ଏଭଳି ସ୍ଥିତିରେ ଜିଲାର ମଣ୍ଡିଗୁଡିକରେ ଦିନଦିନ ଧରି ବିକ୍ରି ଅପେକ୍ଷାରେ ବହୁ ପରିମାଣର ଧାନ ପଡ଼ିରହୁଛି। ଧାନ ବିକ୍ରି ହେବା ଆଶାରେ ଚାଷୀ ଅନ୍ୟ କାମଧନ୍ଦା ଛାଡ଼ି ମଣ୍ଡିକୁ ଧାଉଁଛନ୍ତି, ମାତ୍ର ବିକ୍ରି ନ ହେବା ଯୋଗୁ ଚାଷୀମାନଙ୍କୁ ପୁଣି ନିରାଶ ହୋଇ ଘରକୁ ଫେରିବାକୁ ପଡୁଛି। ଅନ୍ୟପଟେ ଚାଷୀଙ୍କୁ ମିଳିଥିବା ଟୋକନରେ ଉଲ୍ଲେଖିତ ଧାନବିକ୍ରି ଦିବସ ଅର୍ଥାତ ଟୋକନର ଅବଧି ସରି ବସୁଛି। ଏହାକୁ ନେଇ ଜିଲାର ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏଭଳି ଅଭିଯୋଗ ନେଇ ବୁଧବାର ଜିଲାର ବରପାଲି ବ୍ଲକ ଅନ୍ତର୍ଗତ ରେମତା ଧାନ କ୍ରୟ କେନ୍ଦ୍ର ଉପରେ ନିର୍ଭରଶୀଳ ଚାଷୀମାନେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ମଣ୍ଡିରୁ ଧାନ ବିକ୍ରି ହେଉ ନ ଥିବା ଏବଂ ଉଠୁ ନ ଥିବା ପ୍ରତିବାଦରେ ସେମାନେ କାର୍ଯ୍ୟାଳୟ ବାରଣ୍ଡାରେ ଧାରଣାରେ ବସିଥିଲେ। ସାଙ୍ଗରେ ଆଣିଥିବା ମୁଢି ସେଠାରେ ଖାଇଥିଲେ। ଏହା ସହିତ ଧାନ ବିକ୍ରି ଏବଂ ଉଠାଣ ଦାବିରେ ସେମାନେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିଭାଗୀୟ ଅଧିକାରୀମାନେ ଧାରଣା ସ୍ଥଳରେ ପହଞ୍ଚି ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ମଣ୍ଡିରୁ ଧାନ ଉଠାଣ ନ ହେବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ଅଡ଼ି ବସିଥିଲେ। ପରେ ଧାନ ଉଠାଣ ପାଇଁ ମଣ୍ଡିକୁ ମିଲର୍ସଙ୍କ ଗାଡ଼ି ପହଞ୍ଚିଥିବା ନେଇ ସୂଚନା ପାଇବା ପରେ ଚାଷୀମାନେ ଧାରଣାରୁ ଉଠିଥିଲେ ଏବଂ ସିଧାସଳଖ ଗ୍ରାମର ଧାନ କ୍ରୟ କେନ୍ଦ୍ରକୁ ଯାଇଥିଲେ। ତେବେ ଏହି ଧାନ ଉଠାଣ ନିୟମିତ ହେବ ନା ଧାରଣା ହଟାଇବା ପାଇଁ ମଣ୍ଡିକୁ ମିଲର୍ସଙ୍କ ଗାଡି ପଠାଗଲା, ସେ ନେଇ ଚାଷୀମାନେ ଏବେ ମଧ୍ୟ ସନ୍ଦୀହାନରେ ଅଛନ୍ତି। ଆଗକୁ ଧାନ ଉଠାଣ ଜାରି ନ ରହିଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ସୂଚନା ଅନୁଯାୟୀ, ରେମତା ଧାନ କ୍ରୟ କେନ୍ଦ୍ରରୁ ଧାନ ଉଠାଣ ପାଇଁ ୫ମିଲର୍ସଙ୍କୁ ଦାୟିତ୍ୱ ଦିଆଯାଇଛି। ମାତ୍ର ସେମାନଙ୍କ ମଧ୍ୟରୁ କେବଳ ଜଣେ ମିଲର୍ ଧାନ ଉଠାଉ ଥିବାବେଳେ ଅନ୍ୟ ମିଲର୍ସ ଧାନ ଉଠାଣ ପାଇଁ ଉକ୍ତ ଧାନ କ୍ରୟ କେନ୍ଦ୍ରକୁ ଆସୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ଏହି ଧାନ କ୍ରୟ କେନ୍ଦ୍ରରୁ ଏପର୍ଯ୍ୟନ୍ତ ମାତ୍ର ୨୬୯ କୁଇଣ୍ଟାଲ ଧାନ କିଣାଯାଇ ତାକୁ ଉଠାଯାଉଛି। ଅନ୍ୟପକ୍ଷରେ ଏଠାରେ ବୁଧବାର ସୁଦ୍ଧା ଆହୁରି ୩୮୯୬ ପ୍ୟାକେଟ ଧାନ ବିକ୍ରି ଅପେକ୍ଷାରେ ପଡିରହିଛି। ସେହିପରି ଅଞ୍ଚଳର ଚାଷୀମାନଙ୍କ କ୍ଷେତ, ଖଳାରେ ପ୍ରାୟ ୩୨ହଜାର କୁଇଣ୍ଟାଲ ଧାନ ବିକ୍ରି ପାଇଁ ଏବେ ମଧ୍ୟ ରହିଛି। ଟୋକନ ପାଇ ନ ଥିବା ଯୋଗୁ କେତେକ ଚାଷୀ ସେହି ଧାନମଣ୍ଡିକୁ ଆଣିପାରି ନ ଥିବାବେଳେ ଅନେକ ଚାଷୀଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ଆସି ନ ଥିବା ଯୋଗୁ ସେମାନଙ୍କ ଧାନ କ୍ଷେତ, ଖଳାରେ ପଡିଛି। ଫଳରେ ଏବେଠାରୁ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ହୋଇ ପଡିଲେ ଚାଷୀମାନେ ଆଗକୁ ଧାନ ବିକ୍ରିବଟାରେ ଆହୁରି ଜଟିଳ ପରିସ୍ଥିତିର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। କେବଳ ରେମତା ଧାନ କ୍ରୟ କେନ୍ଦ୍ର ନୁହେଁ, ଜିଲାର ସବୁ ଧାନ କ୍ରୟ କେନ୍ଦ୍ରରେ ଏଭଳି ସମସ୍ୟା ଲାଗି ରହିଛି ଏବଂ ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଛି।