ଡିଗ୍ରୀ ଥାଇ ଚାକିରି ମିଳିଲାନି: ଏବେ କଲେଜ ସମ୍ମୁଖରେ ଚା’ ବିକି ଚର୍ଚ୍ଚାରେ…

ଦେଶରେ ବେକାରୀ ପରିସ୍ଥିତି ବିଷୟରେ ସମସ୍ତେ ଅବଗତ। ବିଶେଷକରି ଯୁବଗୋଷ୍ଠୀଙ୍କୁ ଏ ନେଇ କହିବାର ଆବଶ୍ୟକତା ନାହିଁ। ସୋସିଆଲ ମିଡିଆ ହେଉ ଅବା ଅନ୍ୟ କୌଣସି ପ୍ଲାଟଫର୍ମ, ସର୍ବଦା ବେକାରୀ ବିଷୟରେ ଚର୍ଚ୍ଚା ହୋଇଥାଏ। ଉଚ୍ଚଶିକ୍ଷିତ ହେବା ସତ୍ତ୍ୱେ ଚାକିରିଟିଏ ନ ପାଇ କିଛି ଲୋକେ ଏହି ସମସ୍ୟା ସହ ସଂଘର୍ଷ କରୁଥିବା ବେଳେ କିଛି ଲୋକ ରୋଜଗାରର ନୂଆ ମାଧ୍ୟମ ଖୋଜି ଉଦାହରଣ ସାଜିଥାନ୍ତି। ସୋସିଆଲ ମିଡିଆରେ ଏବେ ସେଭଳି ଜଣେ ଯୁବତୀ ଚର୍ଚ୍ଚାରେ, ଯିଏ କି କଠିନ ପରିଶ୍ରମ ଏବଂ ଡିଗ୍ରୀ ଥିବା ସତ୍ତ୍ୱେ ଚାକିରି ପାଇନାହାନ୍ତି। ଏଭଳି ପରିସ୍ଥିତିରେ ସେ ରୋଜଗାର କରିବାକୁ ଭିନ୍ନ ପନ୍ଥା ଆପଣାଇଛନ୍ତି, ସେଇଟି ହେଲା ଚା’ ବିକ୍ରି କରିବା।

ଯୁବତୀଜଣଙ୍କ ହେଲେ ପ୍ରିୟଙ୍କା ଗୁପ୍ତା। ବିହାରର ରାଜଧାନୀ ପାଟଣା ମହିଳା ମହାବିଦ୍ୟାଳୟ ନିକଟରେ ତାଙ୍କର ଏକ ଚା’ ଦୋକାନ ରହିଛି। ଏହା ଆକର୍ଷଣର କ୍ରେନ୍ଦ୍ରବିନ୍ଦୁ ପାଲଟିଛି। ସେ କୁହନ୍ତି, ୨୦୧୯ରେ ମୁଁ ସ୍ନାତକ ଶେଷ କରିଥିଲି। ସେବେଠାରୁ ଦୁଇ ବର୍ଷ ଧରି ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତି ଜାରି ରଖିଥିଲି। ହେଲେ ସଫଳ ହୋଇପାରିଲି ନାହିଁ। ହେଲେ କିଛି ନା କିଛି କରିବାକୁ ହେବ ବୋଲି ମନରେ ଭାବି ନେଇଥିଲି। ସେତେବେଳେ ଗୁଜରାଟର ଜଣେ ଏମ୍‌ବିଏ ଚା’ ବାଲାଙ୍କ ବିଷୟରେ ଶୁଣିବାକୁ ପାଇଲି। ତାଙ୍କର ସାରାଦେଶରେ ଚା’ ଦୋକାନ ରହିଛି। ଏଣୁ ସେ ମଧ୍ୟ ମହିଳା ଭାବେ ସେଭଳି କିଛି କରିବେ ବୋଲି ଭାବିଥିଲେ। ବ୍ୟାଙ୍କରୁ ଋଣ ନ ମିଳିବା ସତ୍ତ୍ୱେ ଜଣେ ବନ୍ଧୁଙ୍କଠାରୁ ସହାୟତା ନେଇ ଏପ୍ରିଲ ୧୧ରେ ଏହି ଦୋକାନଟି ଖୋଲିଛି। ପ୍ରଥମେ ପରିବାରଲୋକେ ଏଥିଲାଗି ଆପତ୍ତି କରିଥିଲେ। ହେଲେ ପରେ ଉତ୍ସାହିତ କରିଥିଲେ।

ତେବେ ପ୍ରିୟଙ୍କା ସକାଳ ୬ରୁ ୧୧ଟା ଯାଏ ଦୋକାନ ଖୋଲିଥାନ୍ତି। ଆଗାମୀ ଦିନରେ ଶ୍ରୀ କ୍ରିଷ୍ଣା ପୁରୀ ପାର୍କ ନିକଟରେ ସନ୍ଧ୍ୟା ସମୟରେ ଏକ ଷ୍ଟଲ ଲାଗି ସେ ଯୋଜନା କରୁଛନ୍ତି। ତାଙ୍କ ପାଖରେ ଚା’ ପିଉଥିବା ଛାତ୍ରୀଛାତ୍ର ଏବଂ ସାଧାରଣଲୋକେ ତାଙ୍କର ପ୍ରଶଂସା କରୁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।

Share