ଓଡ଼ିଶାକୁ ବ୍ରିଟେନରୁ ଫେରିଛନ୍ତି ୪୩

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ବ୍ରିଟେନ ଫେରନ୍ତାଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର। ଗତ ୧୪ ଦିନ ମଧ୍ୟରେ ବ୍ରିଟେନରୁ ଫେରିଥିବା ୪୩ ଜଣଙ୍କ ତଥ୍ୟ ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ଏହା ପରେ ଏସିଏସ୍‌ଆଇଙ୍କ ପକ୍ଷରୁ ସବୁ ଜିଲାପାଳ ଏବଂ ସିଡିଏମ୍‌ଓମାନଙ୍କୁ ତାଲିକା ପ୍ରଦାନ କରାଯାଇଛି।
ଆସିଥିବା ଲୋକଙ୍କ ଆର୍‌ଟି-ପିସିଆର୍‌ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ, ସର୍ଭେଲାନ୍ସ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ବ୍ରିଟେନ୍‌ରୁ ସିଧାସଳଖ କିମ୍ବା ବ୍ରିଟେନ ଦେଇ ଫେରିଥିବା ଯାତ୍ରୀଙ୍କୁ ଡିକ୍ଲାରେସନ ଫର୍ମ ପୂରଣ କରିବାକୁ ପଡିବ ବୋଲି କୁହାଯାଇଥିଲା। ଫେରିଥିବା ଯାତ୍ରୀ ୧୪ ଦିନ ପାଇଁ ହୋମ୍‌ କ୍ୱାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ।
ଏହି ସମୟରେ ରାପିଡ୍‌ ରେସପନ୍ସ ଟିମ୍‌ ତାଙ୍କର ନିୟମିତ ଯାଞ୍ଚ କରିବେ। କ୍ୱାରାଣ୍ଟାଇନ୍‌ ସମୟରେ ଲକ୍ଷଣ ପ୍ରକାଶ ପାଇଲେ ଆର୍‌ଟିପିସିଆର ଟେଷ୍ଟ କରାଯିବ ଏବଂ ପଜିଟିଭ ଚିହ୍ନଟ ହେଲେ ସରକାରୀ ସଙ୍ଗରୋଧରେ ରଖାଯିବା ସହ ଚିକିତ୍ସା କରାଯିବ। ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ୧୪ ଦିନ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ପଡିବ ବୋଲି କୁହାଯାଇଥିଲା।