Categories: ଜାତୀୟ

ଡେଟା ଉଲ୍ଲଂଘନ କଲେ ୫୦୦ କୋଟି ଜରିମାନା

ନୂଆଦିଲ୍ଲୀ,୧୯।୧୧(ପି.ଟି.): ପ୍ରସ୍ତାବିତ ଡିଜିଟାଲ ବ୍ୟକ୍ତିଗତ ସୁରକ୍ଷା ବିଲ୍‌,୨୦୨୨ରେ ଥିବା ବ୍ୟବସ୍ଥାର ଉଲ୍ଲଂଘନ କଲେ ୫୦୦ କୋଟି ଟଙ୍କା ଜରିମାନା ଭରିବାକୁ ପଡ଼ିବ। ପୂର୍ବ ବିଲ୍‌ରେ ଜରିମାନା ପରିମାଣ ୧୫ କୋଟି ଟଙ୍କା କିମ୍ବା ଏକ ଇକ୍ୟୁଟିର ବୈଶ୍ୱିକ କାରବାରର ୪% ପ୍ରସ୍ତାବ ରହିଥିବାବେଳେ ୨୦୨୨ର ପ୍ରସ୍ତାବିତ ବିଲ୍‌ରେ ଏହାକୁ ସରକାର ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ନାଗରିକଙ୍କ ବ୍ୟକ୍ତିଗତ ଡେଟା ସୁରକ୍ଷା ଓ ଆଇନଗତ ଉଦ୍ଦେଶ୍ୟରେ ଏହାର ବ୍ୟବହାର ସେମାନଙ୍କ ବ୍ୟକ୍ତିଗତ ଅଧିକାର। ଏହାକୁ ସ୍ବୀକୃତି ଦେବା ବିଲ୍‌ର ଉଦ୍ଦେଶ୍ୟ। ଏଥିପାଇଁ ଡାଟା ପ୍ରୋଟେକ୍ସନ ବୋର୍ଡ ଅଫ୍‌ ଇଣ୍ଡିଆ ଗଠନ କରାଯିବ, ଯାହା ଉକ୍ତ ବିଲ୍‌ର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବ। କୌଣସି ବ୍ୟକ୍ତିଙ୍କ ଦ୍ୱାରା ଡାଟା ସୁରକ୍ଷା ବ୍ୟବସ୍ଥାର ଉଲ୍ଲଂଘନ ହୋଇଥିବା ତଦନ୍ତରୁ ଜଣାପଡ଼ିଲେ, ତାଙ୍କୁ ଶୁଣାଣି ପାଇଁ ସୁଯୋଗ ଦେବା ସହ ବୋର୍ଡ ଉପରୋକ୍ତ ଜରିମାନା ଧାର୍ଯ୍ୟ କରିବ।

Share