ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ସବୁ ସରକାରୀ ବ୍ୟାଙ୍କ୍‌ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍‌ଲୀ,୨୭।୯: ସାରା ଦେଶରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଘରୋଇ (ପ୍ରାଇଭେଟ) ବ୍ୟାଙ୍କ ତିନି ଦିନିଆ ଧର୍ମଘଟରେ ରହିବାକୁ ଯାଉଛନ୍ତି। ଏହା ପୂର୍ୱରୁ ସରକାରୀ ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଦେବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଧର୍ମଘଟ ସମୟରେ ATM ରୁ ଟଙ୍କା ଉଠାଇବା କ୍ଷେତ୍ରରେ ସରକାରୀ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କୁ ଛାଡ଼ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଏହି ତିନି ଦିନ ମଧ୍ୟରେ ଟଙ୍କା ଉଠାଇଲେ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ କୌଣସି ଅତିରିକ୍ତ ଶୁଳ୍କ (ଚାର୍ଜ) ଆଦାୟ କରିବେ ନାହିଁ।

ଏହି ନିଷ୍ପତ୍ତି ଅନୁଯାୟୀ, ଧର୍ମଘଟ ସମୟରେ ସରକାରୀ ବ୍ୟାଙ୍କଗୁଡ଼ିକ ମାଗଣା ATM କାରବାରର ର୍ନିଦ୍ଧାରିତ ସୀମାଠାରୁ ଅଧିକ ଥର ନଗଦ ଟଙ୍କା ଉଠାଇବା ଉପରେ ଲାଗୁ ହେଉଥିବା ଅତିରିକ୍ତ ଶୁଳ୍କ ଛାଡ଼ କରିବାକୁ ଘୋଷଣା କରିଛନ୍ତି।

ଏହି ନିଷ୍ପତ୍ତି ସମ୍ପର୍କରେ SBI, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଇଣ୍ଡିଆନ ବ୍ୟାଙ୍କ ସମେତ ଅନେକ ସରକାରୀ ବ୍ୟାଙ୍କ ଘୋଷଣା କରିଛନ୍ତି। ସେମାନେ ସୋସିଆଲ ମିଡିଆରେ ନିଜର ଅଫିସିଆଲ ପେଜ ମାଧ୍ୟମରେ ପୋଷ୍ଟ କରି ଗ୍ରାହକମାନଙ୍କୁ ଏହି ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତିର ଅର୍ଥ ହେଉଛି ଧର୍ମଘଟ ସମୟରେ ଗ୍ରାହକମାନେ ନିଜ ବ୍ୟାଙ୍କର ATM ବ୍ୟତୀତ ଅନ୍ୟ ବ୍ୟାଙ୍କର ATM ରୁ ମଧ୍ୟ ଟଙ୍କା ଉଠାଇ ପାରିବେ, ଏବଂ ର୍ନିଦ୍ଧାରିତ ମାଗଣା ସୀମାଠାରୁ ଅଧିକ ଥର ଟଙ୍କା ଉଠାଇଲେ ମଧ୍ୟ ସେମାନଙ୍କୁ କୌଣସି ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ ନାହିଁ।

RBI ର ନିୟମ ଅନୁଯାୟୀ, ସାଧାରଣତଃ ଗ୍ରାହକମାନେ ପ୍ରତି ମାସରେ ନିଜ ବ୍ୟାଙ୍କର ATM ରୁ ସର୍ୱାଧିକ ୫ ଥର ମାଗଣାରେ ଟଙ୍କା ଉଠାଇ ପାରିବେ। ବଡ଼ ବଡ଼ ସହରରେ ଅନ୍ୟ ବ୍ୟାଙ୍କର ATM ରୁ ୩ ଥର ଏବଂ ଅନ୍ୟାନ୍ୟ ସ୍ଥାନରେ ୫ ଥର ପର୍ଯ୍ୟନ୍ତ ମାଗଣାରେ କାରବାର କରିବାର ସୁବିଧା ଥାଏ। ଏହି ସୀମା ପାର ହେବା ପରେ ATM ବ୍ୟବହାର କଲେ ବ୍ୟାଙ୍କ ଅତିରିକ୍ତ ଶୁଳ୍କ ଆଦାୟ କରିଥାଏ। କିନ୍ତୁ ୨୮ ରୁ ୩୦ ସେପ୍ଟେମ୍ୱର ଧର୍ମଘଟ ସମୟରେ ଏହି ଅତିରିକ୍ତ ଶୁଳ୍କକୁ ଅସ୍ଥାୟୀ ଭାବେ ଛାଡ଼ କରାଯାଇଛି।

ସୂଚନାଯୋଗ୍ୟ ଯେ, ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (UFBU) ନେତୃତ୍ୱରେ ବ୍ୟାଙ୍କ କର୍ମଚାରୀମାନେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଧର୍ମଘଟକୁ ଯିବାକୁ ପ୍ରସ୍ତୁତି ଚଳାଇଛନ୍ତି। ବ୍ୟାଙ୍କ ୟୁନିଅନଗୁଡ଼ିକର ପ୍ରମୁଖ ଦାବି ମଧ୍ୟରେ ସପ୍ତାହରେ କେବଳ ପାଞ୍ଚ ଦିନ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଲାଗୁ କରିବା ଅନ୍ତର୍ଭୁକ୍ତ। ପ୍ରାୟ ୯୦ ପ୍ରତିଶତ ବ୍ୟାଙ୍କ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ସଂଗଠନ ଏହି ଆନ୍ଦୋଳନରେ ସାମିଲ ହେଉଛନ୍ତି। ଏହା ସହିତ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ମଧ୍ୟ ଏହି ଧର୍ମଘଟରେ ଭାଗ ନେବେ।

Share