ତୈଳ ନୀତିକୁ ସରକାରଙ୍କ ନାତ

ତତ୍ତ୍ୱ ଓ ତର୍କ

ବିମଳ ପାଣ୍ଡିଆ

 

ଏପ୍ରିଲ ୨୮ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ପୁଣିଥରେ ଆଶଙ୍କା କରାଯାଉଥିବା କୋଭିଡ୍‌ ଲହର ଉପରେ ହେବାର ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ସେହି ବୈଠକକୁ ମହଙ୍ଗାକୁ ନେଇ ତାଙ୍କର ଚିନ୍ତା ଜାହିର କରିବାର ମାଧ୍ୟମ ବୋଲି ବିଚାରିଲେ । ବିଦ୍ରୂପ କଲା ଭଳି ଢଙ୍ଗରେ କହିଲେ ଯେ, କିଛି ରାଜ୍ୟ ପେଟ୍ରୋଲ ଡିଜେଲ ଉପରେ ମୂଲ୍ୟଯୁକ୍ତ ଟିକସ ବା ଭାଟ୍‌ ଦର ନ ଖସାଇ ସେହି ରାଜ୍ୟର ଲୋକଙ୍କ ସହ ପଡ଼ୋଶୀ ରାଜ୍ୟ ଉପରେ ଅନ୍ୟାୟ କରୁଛନ୍ତି । ସେ କହିଲେ ଯେ, ଭାଟ୍‌ ନ କମାଇ କିଛି ରାଜ୍ୟ ହଜାର ହଜାର କୋଟି ଟଙ୍କାର ଅତିରିକ୍ତ କର ଆଦାୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ଅନ୍ୟମାନଙ୍କୁ ଉପଦେଶ ଦେଲାବେଳେ ତାଙ୍କ ସରକାର କ’ଣ କରୁଛି ତାହା ମଧ୍ୟ ଜଣାଇବାର ଉତ୍ତରଦାୟିତ୍ୱ ତାଙ୍କର ରହିଛି। କୋଭିଡ୍‌କୁ ନେଇ ହେଉଥିବା ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଅଣ-ଭାଜପା ଶାସିତ ରାଜ୍ୟ ଗୁଡ଼ିକରେ ଭାଟ୍‌ ଦରକୁ ନେଇ ଦେଖାଇଥିବା ଚିନ୍ତା କିନ୍ତୁ ଉତ୍ତରଦାୟିତ୍ୱର ସେହି ମାପଦଣ୍ଡରେ ଆଦୌ ଉତୁରୁ ନାହିଁ। ଏହି ଆଲେଖ୍ୟରେ ଆମେ ରାଜ୍ୟଗୁଡ଼ିକର ଭାଟ୍‌ ଦର ବିଷୟରେ ଆଲୋଚନା କରିବା ନାହିଁ। କେବଳ କେନ୍ଦ୍ର ସରକାର କେମିତି ପେଟ୍ରୋଲ ଡିଜେଲ ଦରକୁ ନେଇ ଲୋକଙ୍କୁ ଭ୍ରମିତ କରୁଛନ୍ତି ଓ ଠକୁଛନ୍ତି ତାହାର କିଛି ସଦ୍ୟ ଉଦାହରଣ ହିଁ ରଖିବା।
କେନ୍ଦ୍ର ସରକାର ବାରମ୍ବାର କହିଆସୁଛନ୍ତି ଯେ, ପେଟ୍ରୋଲ ଡିଜେଲ ଦର ସ୍ଥିର କରିବାରେ କେନ୍ଦ୍ର ସରକାରଙ୍କ କୌଣସି ଭୂମିକା ନାହିଁ। ‘ପେଟ୍ରୋଲ ଡିଜେଲର ଦରରେ ସରକାରଙ୍କ ନିୟନ୍ତ୍ରଣ ନ ଥିବା ନୀତି ଏବେ ବି ପ୍ରଚଳିତ ଅଛି କି’ ବୋଲି ୧୪ା୦୩ା୨୦୨୨ରେ ରାଜ୍ୟ ସଭାରେ ପଚରାଯାଇଥିବା ଏକ ତାରକା ପ୍ରଶ୍ନର ଉତ୍ତରରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ ସେହି ଆଳାପକୁ ଦୋହରାଇ କହିଲେ ଯେ, ୨୬ା୧୦ା୨୦୧୦ରୁ ପେଟ୍ରୋଲ ଓ ୧୯ା୧୦ା୨୦୧୪ରୁ ଡିଜେଲ ଦର ବଜାରରେ ତୈଳ ଦର ଅନୁସାରେ ନିର୍ଦ୍ଧାରଣ ହେଉଛି। ସେବେଠାରୁ ସରକାର ଦରକୁ ନିୟନ୍ତ୍ରଣ କରୁ ନାହାନ୍ତି, ତୈଳ କମ୍ପାନୀଗୁଡ଼ିକ ନିଷ୍ପତ୍ତି ନେଉଛନ୍ତି। ମଜାର କଥା ଯେ ସେହି ସମାନ ପ୍ରଶ୍ନରେ ପଚରାଯାଇଥିବା ଆଉ ଏକ ପ୍ରଶ୍ନ ‘ଏଇ ନିକଟରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବହୁତ ବଢ଼ିଥିଲେ ବି ଦେଶରେ କାହିଁକି ପେଟ୍ରୋଲ ଡିଜେଲ ଦର ଅପରିବର୍ତ୍ତିତ ରହିଛି’ର କିଛି ଉତ୍ତର ମନ୍ତ୍ରୀ ରଖି ନ ଥିଲେ। ଶାସକ ଦଳର ବରିଷ୍ଠ ସଦସ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବ୍ରମନ୍ୟମ ସ୍ବାମୀ ମଧ୍ୟ ୦୪ା୦୪ା୨୦୨୨ରେ ସେହିଭଳି ଏକ ପ୍ରଶ୍ନ ରାଜ୍ୟ ସଭାରେ ପଚାରି ଥିଲେ। ସରକାର ସେହି ସମାନ ଉତ୍ତର ରଖିଥିଲେ ଯେ ପେଟ୍ରୋଲ ଡିଜେଲ ଦର କମ୍ପାନୀଗୁଡ଼ିକ ହିଁ ସ୍ଥିର କରୁଛନ୍ତି, ସେଥିରେ ସରକାରଙ୍କ କିଛି କରିବାର ନାହିଁ। ଏହା ଡାହା ମିଛ ।
କ୍ରମାଗତ ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ସାଧାରଣରେ ଆକ୍ରୋଶ ବଢ଼ିବାରୁ କେନ୍ଦ୍ର ସରକାର ୦୪ା୧୧ା୨୦୨୧ରେ ଏକ୍ସାଇଜ ଡ୍ୟୁଟି ବା ଉତ୍ପାଦ ଶୁଳ୍କକୁ ହ୍ରାସ କରିଥିଲେ। ତାହା ପୂର୍ବରୁ ପ୍ରାୟ ପ୍ରତ୍ୟେକ ଦିନ ପେଟ୍ରୋଲ ଡିଜେଲ ଦରରେ କିଛିକିଛି ପରିବର୍ତ୍ତନ ହେଉଥିଲା। ମଜାର କଥା ଯେ ସେହି ଦିନଠାରୁ ୧୯ା୦୩ା୨୦୨୨ ଯାଏ, ୧୩୫ ଦିନ ଧରି ଦେଶରେ ପେଟ୍ରୋଲ ଡିଜେଲ ଦରରେ କିଛି ପରିବର୍ତ୍ତନ ହେଲା ନାହିଁ। ସରକାର ରାଜ୍ୟ ସଭାରେ ଦେଇଥିବା ଉତ୍ତର ଯଦି ଠିକ ଥିଲା ତା’ହେଲେ ଧରି ନେବା ଯେ ଅନ୍ତର୍ଜାତୀୟ ବଜାରରେ ସେହି ସାଢ଼େ ଚାରି ମାସ ପ୍ରାକୃତିକ ତୈଳର ଦର ସ୍ଥିର ହିଁ ଥିଲା। ତେଣୁ ଇଣ୍ଡିଆନ ଅଏଲ କର୍ପୋରେଶନ ଭଳି କମ୍ପାନୀ ଦେଶରେ ଦର ଏପାଖସେପାଖ କରି ନ ଥିଲେ। କିନ୍ତୁ ସ୍ଥିତି କ’ଣ ସେୟା ଥିଲା? ଯେଉଁ ଦିନ ଭାରତ ସରକାର ଉତ୍ପାଦ ଶୁଳ୍କ କମାଇଲେ, ସେହିଦିନ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍‌ ବା ଅଶୋଧିତ ପ୍ରାକୃତିକ ତୈଳର ଦର ବ୍ୟାରେଲ ପ୍ରତି ୮୨.୪୩ ଡଲାର ଥିଲା।
ସେହି ଦିନଠାରୁ ପରବର୍ତ୍ତୀ ପରିବର୍ତ୍ତନ ହେବା ଦିନ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୬୯ ଡଲାରରେ ବି ପହଞ୍ଚିଥିଲା ଆଉ ୧୩୪ ଡଲାରର ଶିଖରକୁ ବି ଛୁଇଁଥିଲା କିନ୍ତୁ ଭାରତରେ ଦର ଏପଟସେପଟ ହୋଇ ନ ଥିଲା। ଏଥିରୁ କେନ୍ଦ୍ର ସରକାରଙ୍କ ପ୍ରବଞ୍ଚନାର ଅନ୍ତତଃ ଦୁଇଟି ସ୍ପଷ୍ଟ ଉଦାହରଣ ମିଳୁଛି। ଏହି ୧୩୫ ଦିନର ଶେଷ ଅଳ୍ପ କିଛି ସପ୍ତାହରେ ରୁଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ତୈଳ ଦର ଅନେକ ବଢ଼ିଲା କିନ୍ତୁ ଉତ୍ତରପ୍ରଦେଶ, ପଞ୍ଜାବ ଆଦି ରାଜ୍ୟରେ ଭୋଟ ଜିତିବା ପାଇଁ ନୀତିକୁ ଜଳାଞ୍ଜଳି ଦେଇ ତୈଳ କମ୍ପାନଗୁଡ଼ିକର ଅନେକ କ୍ଷତି କରାଇଲେ। କିନ୍ତୁ ଏହି ୧୩୫ ଦିନର ବାକି ସମସ୍ତ ଦିନଗୁଡ଼ିକରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମ ଥିଲେ ମଧ୍ୟ ଦେଶରେ ତୈଳ ଦର ଖସୁ ନ ଥିଲା। ସରକାର ଓ ତୈଳ କମ୍ପାନୀଗୁଡ଼ିକ ଲୋକଙ୍କୁ ଭକୁଆ ବନାଇ ଲାଭ ସାଉଁଟି ଚାଲିଥିଲେ।
ନଭେମ୍ବର ୪ରେ ଉତ୍ପାଦ ଶୁଳ୍କ କମାଇବା ଦିନଠାରୁ ଅନ୍ତତଃ ତିନି ମାସ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଦର ୮୨.୪୩ ଡଲାରରୁ ଖସି ୦୧ା୧୨ା୨୦୨୧ରେ ୬୯ ଡଲାରରେ ପହଞ୍ଚିଥିଲା। ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ଦିନ ଅନ୍ତର୍ଜାତୀୟ ଦର ଯାହାଥିଲା, ଡିସେମ୍ବର ୧ ତାରିଖ ବେଳକୁ ତାହା ୧୫.୬% କମ ଥିଲା। ଉତ୍ପାଦ ଶୁଳ୍କ ଛାଡ଼ କରାଯିବା ଦିନଠାରୁ ପରବର୍ତ୍ତୀ ତିନି ମାସ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ହାରାହାରି ତୈଳ ଦର ୮୦ ଡଲାର ହିଁ ଥିଲା; ଯାହା ଉତ୍ପାଦ ଶୁଳ୍କ ହ୍ରାସ କରାହେବା ଦିନର ଦରଠାରୁ ଅନ୍ତତଃ ୨.୪ ଡଲାର ବା ପ୍ରାୟ ୩% କମ୍‌ ଥିଲା। ତୈଳ ଦର ନିୟନ୍ତ୍ରଣମୁକ୍ତ ଥାଇ ଅନ୍ତର୍ଜାତୀୟ ଦର ଅନୁସାରେ କମ୍ପାନୀମାନେ ପ୍ରତିଦିନ ତୈଳ ଦର ସ୍ଥିର କରିବାର ନୀତି ରହିଥିବା ସତ୍ତ୍ୱେ ଅନ୍ତର୍ଜାତୀୟ ଦର କମୁଥିବା ବେଳେ ମଧ୍ୟ କମ୍ପାନୀଗୁଡ଼ିକ କାହିଁକି ଦର ଖସାଉ ନ ଥିଲେ? ଏବେ ଆସିବା ସେହି ମାୟାପୂର୍ଣ୍ଣ ୧୩୫ ଦିନର ଶେଷ କିଛି ଦିନକୁ। ରୁଷର ମତି ଦେଖି ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଫେବୃୟାରୀ ୧୨ରେ ୧୦୦ ଡଲାର ଡେଇଁଲା। ମାର୍ଚ୍ଚ ୬ରେ ୧୩୪ ଡଲାରରେ ବି ପହଞ୍ଚିଗଲା। କିନ୍ତୁ ଭାରତରେ ପେଟ୍ରୋଲ ଡିଜେଲ ଦର ସେହି ସମୟରେ ବଢ଼ୁ ନ ଥିଲା।
ବଦଳିଲା ୨୦ ମାର୍ଚ୍ଚରେ, ଉତ୍ତରପ୍ରଦେଶ ପଞ୍ଜାବ ଆଦି ରାଜ୍ୟର ନିର୍ବାଚନ ଫଳ ଘୋଷଣା ହେବାର କିଛି ଦିନ ପରେ। ସେତେବେଳକୁ ଅନ୍ତର୍ଜାତୀୟ ବଜାରରେ ଦର ଶୀର୍ଷରୁ ଅନେକ ଖସି ସାରିଥିଲା।
ଯଦି ଅନ୍ତର୍ଜାତୀୟ ଦରକୁ ଦେଖି ପ୍ରତିଦିନ କମ୍ପାନୀମାନେ ପେଟ୍ରୋଲ ଡିଜେଲ ଦର ସ୍ଥିର କରିବାର ନୀତି ଅଛି, ତେବେ ଏହି ସମୟ ମଧ୍ୟରେ ତାହା ଲାଗୁ ନ ହେବା ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ।
ଏହା କହିବା ଅବଶ୍ୟ ଉପଯୋଗୀ ହେବ ଯେ ଯଦି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମେଇବେ, ରାଜ୍ୟଗୁଡ଼ିକର ଭାଟ୍‌ ଟିକସ ମଧ୍ୟ ଆପେ ଆପେ କମିଯିବ କାରଣ ରାଜ୍ୟ ସରକାରଗୁଡ଼ିକ ଉତ୍ପାଦ ଶୁଳ୍କ ମିଶ୍ରିତ ଦର ଉପରେ ହିଁ ଭାଟ୍‌ ଲଗାଇଥାନ୍ତି। ରାଜ୍ୟଗୁଡ଼ିକୁ ଟ୍ୟାକ୍ସ କମାଇବା ପାଇଁ ଉପଦେଶ ଦେବା ସ୍ବାଗତଯୋଗ୍ୟ, କିନ୍ତୁ ପ୍ରଧାନମନ୍ତ୍ରୀ ମହୋଦୟ ନିଜ ଚାଦରରେ ଲାଗିଥିବା ଗାଢ଼ ମଇଳାକୁ ଆଗ ସଫା କରିଥିଲେ ଠିକ୍‌ ହୋଇଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri