ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି ସେ। କହିବାର ତାତ୍ପର୍ଯ୍ୟ ଏବେ ତାଙ୍କର କଥିତ ପ୍ରେମିକାଙ୍କ ଖବର ବ୍ୟାପିବାରେ ଲାଗିଛି। କମ୍‌ବ୍ୟାକ୍‌ ଫିଲ୍ମର ଶୁଟିଂ ଶେଷ ହୋଇ ନ ଥିଲେ ହେଁ ସେ ନିଜର ନାୟିକାଙ୍କୁ ନେଇ ଅନେକ ସ୍ଥାନରେ ସ୍ପଟ୍‌ ହେଉଛନ୍ତି। ଉଭୟଙ୍କୁ ଏକାଠି ଦେଖିବା ପରେ ସୋସିଆଲ ମିଡିଆରେ ସେମାନଙ୍କ ସମ୍ପର୍କକୁ ନେଇ ନାନା ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
କେବଳ ଏତିକି ନୁହେଁ ଭାଇରାଲ ଭିଡିଓକୁ ନେଇ ଯେତେବେଳେ ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜାଙ୍କୁ ପ୍ରଶ୍ନ କରାଗଲା, ସେତେବେଳେ ସେ ବେଶ କ୍ଷୁବ୍ଧ ନଜର ଆସିଥିଲେ। କ୍ୟାମେରାଧାରୀ ଯେତେବେଳେ ଗୋବିନ୍ଦା କୋମଳ ରାଣୀଙ୍କ ସହ ତାଙ୍କ ଫିଲ୍ମର ପ୍ରମୋଶନ କରୁଛନ୍ତି କି ବୋଲି ପଚାରିଥିବା ପ୍ରଶ୍ନର ଜବାବରେ ସୁନୀତା ବ୍ୟଙ୍ଗ କରି କହିଥିଲେ ଯେ, ପ୍ରମୋଶନ ସେତେବେଳେ ହୁଏ ଯେତେବେଳେ ଫିଲ୍ମଟି ପ୍ରସ୍ତୁତ ହୋଇସାରିଥାଏ। ତାଙ୍କ ମତରେ, ଏଠାରେ ତ ଫିଲ୍ମ ପ୍ରସ୍ତୁତ ହେବା ପୂର୍ବରୁ ହିଁ ପ୍ରମୋଶନ ଆରମ୍ଭ ହୋଇଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିଜ ଝିଅ ବୟସର ଯୁବତୀଙ୍କ ସହିତ ଏପରି ବୁଲିବା ଆଦୌ ଠିକ ନୁହେଁ ଏବଂ ଏଥିପାଇଁ ଲଜ୍ଜା ଲାଗିବା କଥା।
ସୁନୀତା କାହାରି ନା ନ ନେଇ କୋମଳ ରାଣୀଙ୍କ ପୋଷାକକୁ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଯଦି କାହା ପାଖରେ ଏତେ ଧନୀ ‘ସୁଗର ଡାଡି’ ଅଛନ୍ତି, ତେବେ ଅତିକମ୍‌ରେ ସେହି ଅନୁସାରେ ଭଲ ପୋଷାକ ପିନ୍ଧିବା ଉଚିତ। ଆମକୁ ଦେଖନ୍ତୁ, ଆମେ କିପରି ଷ୍ଟାଇଲରେ ଚାଲୁଛୁ। ଏହା ଅତି ଖରାପ କଥା। ସେମାନଙ୍କ ମୁଣ୍ଡ ଖରାପ ହୋଇଯାଇଛି ବୋଲି ସେ କହିଛନ୍ତି। ଅନ୍ୟ ଏକ ଭିଡିଓରେ ସୁନୀତା ଆହୁରି ମଧ୍ୟ କହିଛନ୍ତି ଯେ ଗୋବିନ୍ଦା କୁହନ୍ତି ସେ ତାଙ୍କ ନାମ ଖରାପ କରୁଛନ୍ତି, କିନ୍ତୁ ସେ ନିଜେ କ’ଣ ସବୁ କାଣ୍ଡ କରୁଛନ୍ତି ତାହା ପ୍ରଥମେ ଚିନ୍ତା କରିବା ଉଚିତ। ତାଙ୍କ ଏହି ବୟାନ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
Dharitri – Odisha’s No.1 Odia Daily

Share