୩ ଦିନିଆ ପୁରୀ ଗସ୍ତରେ ରାଜ୍ୟପାଳ

ପୁରୀ ଅଫିସ,୧ା୭: ତିନି ଦିନିଆ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର ପୁରୀରେ ପହଞ୍ଚିଛନ୍ତି । ରାଜଭବନର ନବୀକରଣ ଭବନକୁ ସେ ଉଦଘାଟନ କରିଛନ୍ତି । ଫନି ବାତ୍ୟାରେ ରାଜଭବନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ରାଜଭବନ ପରିସରରେ ଥିବା ଶିଲା ଉପବନରେ ବୃକ୍ଷରୋପଣ କରି ବନୀକରଣର ଶୁଭାରମ୍ଭ କରିଛନ୍ତି ରାଜ୍ୟପାଳ। ଏହି ଉପବନକୁ ଧର୍ମପତ୍ନୀ ସ୍ବର୍ଗତା ସୁଶୀଳା ଦେବୀଙ୍କ ସ୍ମୃତିରେ ଉତ୍ସର୍ଗୀକୃତ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ପ୍ରମୋଦ ମେହେର୍ଦ୍ଦା, ପୁରୀ ଜିଲାପାଳ ସମର୍ଥ ବର୍ମା, ଏସ୍‌ପି କନ୍‌ଓ୍ବର ବିଶାଲ ସିଂ, ଗୃହ ନିର୍ମାଣ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ଚନ୍ଦ୍ର ତ୍ରିପାଠୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଗିରୀଶ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ଥିଲେ।