Categories: ଜାତୀୟ

କେଜରିଓ୍ବାଲଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ଉପରାଜ୍ୟପାଳ, ମେୟର ନିର୍ବାଚନ ଫେବୃୟାରୀ ୧୬ରେ…

ନୂଆଦିଲ୍ଲୀ,୧୨।୨ : ଫେବୃଆରୀ ୧୬ରେ ମେୟର, ଡେପୁଟି ମେୟର ଏବଂ ସ୍ଥାୟୀ କମିଟିର ସଦସ୍ୟଙ୍କ ପାଇଁ ନିର୍ବାଚନ ଆୟୋଜନ ପ୍ରସ୍ତାବକୁ ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ଅନୁମୋଦନ କରିଛନ୍ତି। ଏଲଜି ସାକ୍ସେନା କହିଛନ୍ତି ଯେ ’ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସୁପାରିଶ ଅନୁଯାୟୀ ମୁଁ ଫେବୃଆରୀ ୧୬, ଗୁରୁବାର ମେୟର, ଡେପୁଟି ମେୟର ନିର୍ବାଚନ ପାଇଁ ଡକ୍ଟର ଏସପି ମୁଖାର୍ଜୀ ସିଭିକ ସେଣ୍ଟରରେ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ ବୈଠକ କରିବାର ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛି। ମେୟର ଏବଂ ଷ୍ଟାଣ୍ଡିଂ କମିଟିର ୬ ଜଣ ସଦସ୍ୟ ଏହାପୂର୍ବରୁ ଦିଲ୍ଲୀ ସରକାର ଏବଂ ଏମସିଡି ଫେବୃଆରୀ ୧୬ କୁ ମେୟର, ଡେପୁଟି ମେୟର ଏବଂ ଷ୍ଟାଣ୍ଡିଂ କମିଟିର ସଦସ୍ୟଙ୍କ ପାଇଁ ନିର୍ବାଚନ ତାରିଖ ଭାବରେ ସ୍ଥିର କରିଥିଲେ। ଏହି ପ୍ରସ୍ତାବର ଚୂଡ଼ାନ୍ତ ଅନୁମୋଦନ ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ପାଖକୁ ପଠାଯାଇଥିଲା।

ସୂଚନାଯୋଗ୍ୟ,ପୂର୍ବରୁ ହଙ୍ଗାମା କାରଣରୁ ଦିଲ୍ଲୀର ମେୟର ଚୟନ ପାଇଁ ପ୍ରୟାସ ତିନିଥର ବିଫଳ ହୋଇଥିଲା। ଫେବୃଆରୀ ୧୩ ଏବଂ ୧୪ ରେ ମେୟର ନିର୍ବାଚନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କୁ କହିଥିଲେ। ତେବେ, ଏମସିଡି କହିଥିଲା ଯେ ଏହା ସହ ଜଡିତ ଏକ ମାମଲା ଫେବୃଆରୀ ୧୩ରେ ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ବିଚାରାଧୀନ ଅଛି। ତେଣୁ କେଜରିଓ୍ବାଲ ସରକାର ଫେବୃଆରୀ ୧୬ରେ ମେୟର ନିର୍ବାଚନ କରିବାକୁ ଏମସିଡି ଯୋଜନାରେ ରାଜି ହୋଇଥିଲେ। ଏହାପୂର୍ବରୁ ସୁପ୍ରିମକୋର୍ଟ ଏଲଜି, ଏମସିଡିର ପ୍ରିଜାଇଡିଂ ଅଫିସର ତଥା ଅନ୍ୟମାନଙ୍କୁ ମେୟରଙ୍କ ଶୀଘ୍ର ନିର୍ବାଚନ ଆବେଦନ ଉପରେ ସେମାନଙ୍କ ମତାମତ ପଠାଇବାକୁ ଅନୁରୋଧ କରିଥିଲେ।

Share