Categories: ଜାତୀୟ

ମଣିପୁରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବାରୁ ବିଏସଏଫକୁ ପ୍ରଶଂସା କଲେ ରାଜ୍ୟପାଳ ଅନୁସୁୟା ଉଇକେ

ଇମ୍ଫାଲ,୧୯।୮: ବିଏସଏଫ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ସୋନାଲି ମିଶ୍ର ମଣିପୁର ରାଜ୍ୟପାଳ ଅନୁସୁୟା ଉଇକେଙ୍କୁ ଭେଟିଛନ୍ତି। ରାଜ୍ୟପାଳଙ୍କୁ ଭେଟି ସେ ରାଜ୍ୟର ସୁରକ୍ଷା ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ବୈଠକରେ ବିଏସଏଫର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ। ମଣିପୁରରେ ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବାରେ ବିଏସଏଫର ଉଦ୍ୟମକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ମଣିପୁର ଗସ୍ତ ସମୟରେ ସୋନାଲି ମିଶ୍ର ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା କରି ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ରାଜ୍ୟପାଳଙ୍କ ସହ ସାକ୍ଷାତ ସମୟରେ ବିଏସଏଫ ଏଡିଜି ମିଶ୍ର କହିଛନ୍ତି ଯେ, କେନ୍ଦ୍ରୀୟ ବାହିନୀ ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗରେ ଅଛି। ଶାନ୍ତି ଏବଂ ସ୍ବାଭାବିକ ସ୍ଥିତି ଫେରେଇ ଆଣିବା ପାଇଁ ଶାନ୍ତି ପରିବେଶ ସୃଷ୍ଟି କରିଯାଉଛି। ସେଠାକାର ନାଗରିକଙ୍କୁ ଏନେଇ ଅବଗତ କରାଯାଉଛି। ମିଶ୍ର ସୂଚନା ଦେଇଛନ୍ତି ଯେ, ବିଏସଏଫର ୫୧ଟି ଟିମ୍‌ ବର୍ତ୍ତମାନ ମଣିପୁରର ନଅଟି ଜିଲାରେ ନିୟୋଜିତ ଅଛନ୍ତି। ସେମାନେ ସେଠାରେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ପ୍ରଶାସନକୁ ସହାୟତା କରୁଛନ୍ତି।

ଇମ୍ଫାଲ, ଉପତ୍ୟକା ଏବଂ ପାହାଡ (ବଫର ଜୋନ)କୁ ସଂଯୋଗ କରୁଥିବା ଅଞ୍ଚଳରେ ସର୍ବାଧିକ ବିଏସଏଫ କର୍ମଚାରୀଙ୍କୁ ନିୟୋଜନ କରାଯାଇଛି। କୌଣସି ଅଘଟଣକୁ ରୋକିବା ପାଇଁ କଡା ନଜର ରଖାଯାଉଛି ବୋଲି ମିଶ୍ର କହିଛନ୍ତି। ତେବେ ବୈଠକରେ ରାଜ୍ୟପାଳ ଅନୁସୁୟା ଉଇକେ ମଣିପୁରରେ ଶାନ୍ତି ଏବଂ ଶୃଙ୍ଖଳା ରକ୍ଷା କରିବାରେ ବିଏସଏଫର ଉଦ୍ୟମକୁ ପ୍ରଶଂସା କରିଥିଲେ।

Share