ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ଜୁନ ୧୬, ୨୦୨୬ ରୁ ପେଟ୍ରୋଲିୟମ ଉତ୍ପାଦ ଉପରେ ରପ୍ତାନି ଶୁଳ୍କ ସଂଶୋଧନ କରିଛନ୍ତି। ଡିଜେଲ ଏବଂ ବିମାନ ଟର୍ବାଇନ ଇନ୍ଧନ (ATF) ଉପରେ ଲାଗୁ ହୋଇଥିବା ଶୁଳ୍କ ବୃଦ୍ଧି କରାଯାଇଛି। ଡିଜେଲ ରପ୍ତାନି ପାଇଁ ପ୍ରତି ଲିଟର ୧୪ ର ଏକ ସ୍ବତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ (SAED) ଲାଗୁ ହେବ, ଯେତେବେଳେ ATF ରପ୍ତାନି ପାଇଁ ପ୍ରତି ଲିଟର ୧୨.୫ ଟଙ୍କାର SAED ଆଦାୟ କରାଯିବ। ପେଟ୍ରୋଲ ରପ୍ତାନି ସମ୍ପର୍କରେ କୌଣସି ପରିବର୍ତ୍ତନ ହୋଇନାହିଁ; ପୂର୍ବ ପରି ଏହି ହାର ଲିଟର ପ୍ରତି ୧.୫ ରେ ରହିଛି।
ସରକାର ପ୍ରଥମେ ୨୭ ମାର୍ଚ୍ଚ, ୨୦୨୬ ରେ ଏହି ରପ୍ତାନି ଶୁଳ୍କ ଲାଗୁ କରିଥିଲେ। ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ଯୋଗୁ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ ଉତ୍ପାଦର ଚାହିଦା ଏବଂ ମୂଲ୍ୟ ବୃଦ୍ଧି ପାଇଥିଲା। ଫଳସ୍ବରୂପ, ଘରୋଇ ବଜାରରେ ବିକ୍ରୟ କରିବା ଅପେକ୍ଷା ରିଫାଇନାରୀଗୁଡ଼ିକ ପାଇଁ ରପ୍ତାନି ଅଧିକ ଲାଭଜନକ ହୋଇଗଲା। ସରକାରଙ୍କ ଏହି ନିଷ୍ପତ୍ତିର ଲକ୍ଷ୍ୟ ହେଉଛି ରିଫାଇନାରୀ କମ୍ପାନୀଗୁଡ଼ିକୁ ରପ୍ତାନିକୁ ପ୍ରାଥମିକତା ଦେବାରୁ ନିରୁତ୍ସାହିତ କରିବା, ଯାହା ଦାରା ଦେଶ ଭିତରେ ପେଟ୍ରୋଲ, ଡିଜେଲ ଏବଂ ATF ର କୌଣସି ଅଭାବ ନହେବା ନିଶ୍ଚିତ କରିବା।
ଏହି ହାରଗୁଡ଼ିକ ପ୍ରତି ୧୫ ଦିନରେ ସମୀକ୍ଷା କରାଯାଏ। ପୂର୍ବ ଦୁଇ ଦିନ ମଧ୍ୟରେ ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ ଉତ୍ପାଦର ହାରାହାରି ଅନ୍ତର୍ଜାତୀୟ ମୂଲ୍ୟ ଉପରେ ଆଧାର କରି ନୂତନ ଦର ନିର୍ଦ୍ଧାରଣ କରାଯାଇଛି। ଶେଷ ସଂଶୋଧନ ୧ ଜୁନ, ୨୯୨୬ରେ ହୋଇଥିଲା।
ଏହି ପରିବର୍ତ୍ତନ କେବଳ ରପ୍ତାନି ପାଇଁ ପ୍ରଯୁଜ୍ୟ। ଘରୋଇ ବଜାରରେ ବିକ୍ରି ହେଉଥିବା ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ; ଅର୍ଥାତ, ପମ୍ପଗୁଡ଼ିକରେ ଉପଲବ୍ଧ ଇନ୍ଧନ ମୂଲ୍ୟ ପ୍ରଭାବିତ ହେବ ନାହିଁ।