ବିନା ଟେଣ୍ଡରରେ ଚାଲିଛି ସରକାରୀ କାମ

ନାଉଗାଁ,୨୧ା୫(ସ୍ବ.ପ୍ର): ନାଉଗାଁ ବ୍ଲକରେ ଜଗତ୍‌ସିଂହପୁର ପୂର୍ତ୍ତ ବିଭାଗ ତରଫରୁ ବିଭିନ୍ନ ରାସ୍ତା ମରାମତି, ଗାଡ୍‌ଓ୍ବାଲ ନିର୍ମାଣ କାର୍ଯ୍ୟ ଚାଲିଛି। ଏସବୁ କାର୍ଯ୍ୟ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର କିଛି କାର୍ଯ୍ୟ ପାଇଁ ଟେଣ୍ଡର ପରେ ଚୁକ୍ତିନାମା ହୋଇ ନ ଥିବା ବେଳେ କିଛି କାମ ପାଇଁ ଟେଣ୍ଡର ହୋଇ ନ ଥିବା ଚର୍ଚ୍ଚା ହେଉଛି। ବ୍ଲକର କୋକିଢ଼ିହ-ତେଲସରା ରାସ୍ତା ମରାମତି ଓ ଗୋବରୀ ନାଳ ପାର୍ଶ୍ୱରେ ଗାର୍ଡଓ୍ବାଲ ନିର୍ମାଣ କରିବା ପାଇଁ ଟେଣ୍ଡର ହୋଇଛି। ମାତ୍ର ଏନେଇ କୌଣସି ଚୁକ୍ତିନାମା ହୋଇ ନ ଥିବା ବେଳେ ସମ୍ପୃକ୍ତ ଠିକାଦାରଙ୍କ ପକ୍ଷରୁ କାମ ଆରମ୍ଭ ହୋଇଯାଇଛି। ସେହିପରି ଜାମୁଗଁା ପଞ୍ଚାୟତର କଣିପଡାସ୍ଥିତ ସରକାରୀ ପଲିଟେକନିକ କଲେଜର ମରାମତି ଓ ରଙ୍ଗ କାର୍ଯ୍ୟ ଚାଲୁ ରହିଛି। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବାବେଳେ କାର୍ଯ୍ୟ ଲାଗି ଟେଣ୍ଡର ହୋଇନାହିଁି। ସେହିପରି ଅଲଣାହାଟ-କୁଣ୍ଡେଶ୍ୱର ରାସ୍ତା, ନାଉଗଁା-ଅରଖକୁଦ ରାସ୍ତା, ଶିଖର-ବାଲିଭଉଁରୀ ରାସ୍ତା ମରାମତି ଚାଲିଥିବାବେଳେ ଦେବୀ ନଦୀ ପାର୍ଶ୍ୱରେ ଗାର୍ଡଓ୍ବାଲ ନିର୍ମାଣ କରାଯାଉଛି। ମାତ୍ର ଏସବୁ କାମ ପାଇଁ ଟେଣ୍ଡର ହୋଇନାହିଁ। କେବେଳ ସେତିକି ନୁହେଁ ଅନେକ ସ୍ଥାନରେ ନିମ୍ନମାନର କାମ ହେଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ତେଣୁ ପୂର୍ତ୍ତ ବିଭାଗ ତରଫରୁ କରାଯାଉଥିବା ମରାମତି ଓ ନିର୍ମାଣ କାଯର୍‌ୟ ପୂର୍ବରୁ ସୂଚନାଫଲକ ଲଗାଇବା ସହ ଯନ୍ତ୍ରୀଙ୍କ ଉପସ୍ଥିତିରେ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଦାବି ହୋଇଛି।
ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ବଳରାମ ସ୍ବାଇଁଙ୍କୁ ପଚରାଯାଇଥିଲାବେଳେ କୌଣସି ଠିକ୍‌ ଉତ୍ତର ଦେଇ ନ ଥିବାବେଳେ ଜଗତ୍‌ସିଂହପୁର କାର୍ଯ୍ୟାଳୟକୁ ଆସିଲେ ତଥ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି।