ନକଲି ଔଷଧ ବ୍ୟବସାୟୀଙ୍କୁ ସରକାରଙ୍କ ଚେତାବନୀ

ଭୁବନେଶ୍ୱର,୧୩।୬: ରାଜ୍ୟରେ ହେଉଥିବା ନକଲି ଔଷଧ କାରବାରରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ରବିବାର ଏଭଳି ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି, ଅଭିଯୋଗ ପରେ ନିର୍ଦ୍ଧିଷ୍ଟ ଦୋକାନ ଉପରେ ଚଢ଼ାଉ କରାଯାଇ ୧୭୦ଟି ପେଟି ଫାବିପିରାର୍ଭି ଜବତ କରାଯାଇଥିଲା। ସେଥିରେ ୨୭ ପେଟି ଅନ୍ୟ ଔଷଧ ମଧ୍ୟ ରହିଛି। ଜବତ ହୋଇଥିବା ଔଷଧକୁ ଭୁବନେଶ୍ୱର ସମେତ କୋଲକତା ସେଣ୍ଟ୍ରାଲ ଲାବ୍ରୋଟାରୀକୁ ପରୀକ୍ଷା ପାଇଁ ପଠାଯାଇଛି। ଏପରି କି ରାଜ୍ୟର ବିଭିନ୍ନ ଜିଲାର ଔଷଧ ଦୋକାନ ଉପରେ ବିଭାଗ ପକ୍ଷରୁ ନଜର ରଖାଯାଇଛି। ଯାଞ୍ଚ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ତୃତୀୟ ଲହର ପାଇଁ ପ୍ରସ୍ତୁତ ଥିବା ସେ କହିଛନ୍ତି। ଶିଶୁଙ୍କ ଚିକିତ୍ସା ଲାଗି ସ୍ବତନ୍ତ୍ର ଭାବେ ୧୬୧୦ ସାଧାରଣ ବେଡ଼ ଏବଂ ୬୧୦ ଆଇସିୟୁ ବେଡ ବ୍ୟବସ୍ଥା କରାଯାଇଛି। ଶିଶୁ ଭବନରେ କୋଭିଡ ଓ୍ବାର୍ଡ ପାଇଁ ପ୍ରସ୍ତାବ ରହିଛି। ସେହିପରି ନବଜାତ କୋଭିଡ ସଂକ୍ରମିତ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଓ୍ବାର୍ଡ ସହ ଅଧିକ ସଂକ୍ରମିତଙ୍କ ପାଇଁ କୋଭିଡ କେୟାର ସେଣ୍ଟର କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସେ କହିଥିଲେ।

୨ ଦିନ ତଳେ କଟକର କନିକା ଛକ ନିକଟରେ ଥିବା ଏକ ଦୋକାନରୁ ନକଲି କରୋନା ମେଡିସିନ ଜବତ ହୋଇଥିଲା। ଏହି ଲିଙ୍କରେ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ବାର୍ଡ ରାଉରକେଲାରେ ୩ଟି ଔଷଧ ଦୋକାନରେ ଚଢାଉ କରିଥିଲା। ସେଠାରୁ ବିପୁଳ ପରିମାଣରେ ନକଲି ଔଷଧ ଜବତ କରାଯାଇଛି। ସେହିପରି ବଲାଙ୍ଗୀର ସହର ସୁଦପଡ଼ା ସ୍ଥିତ ଏକ ଔଷଧ ଗୋଦାମ ଉପରେ ସ୍କ୍ବାର୍ଡ ଚଢାଉ କରିଥିଲା। ଚଢାଉ ବେଳେ ଥଣ୍ଡା କାଶ ପାଇଁ ବ୍ୟବହୃତ ଔଷଧ ମିଳିଥିଲା। ଏହାକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯିବ ବୋଲି ଡ୍ରଗ୍ସ ଇନ୍ସପେର କହିଛନ୍ତି।