‘ଶିକ୍ଷକଙ୍କ ସମସ୍ୟା ବୁଝନ୍ତୁ ସରକାର’

ବଇଣ୍ଡା,୩।୧୨(ଡି.ଏନ.ଏ.) ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଆଠମଲ୍ଲିକ ଶାଖା ପକ୍ଷରୁ ଶିକ୍ଷକ ସମସ୍ୟାକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ଦିଲୀପ କୁମାର ସାହୁ ଏଥିରେ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ସଭାପତି ବ୍ରହ୍ମାନଦ ମହାରଣା ଯୋଗଦେଇ ଶିକ୍ଷକଙ୍କ ସମସ୍ୟା ସମ୍ପର୍କରେ କହିଥିଲେ। ସେ କହିଥିଲେ, ପ୍ରାଥମିକ ଶିକ୍ଷକ ଅଳ୍ପ ଦରମାରେ ପାଠ ପଢାଉଛନ୍ତି। ସରକାର କୌଣସି ସମସ୍ୟା ବୁଝୁ ନ ଥିବା ଯୋଗୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ସମସ୍ତ ଶିକ୍ଷାସହାୟକମାନଙ୍କୁ ପେନ୍‌ସନ୍‌ ସହ ଗ୍ରେଡ ପେ ଯୋଗାଇ ଦେବାକୁ ଦାବି କରିଥିଲେ। ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମୁଖ୍ୟ ଅତିଥି ଚେତାବନୀ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ପ୍ରମୋଦ ନାୟକ, ଖଗେଶ୍ୱର ନାୟକ, ତରୁଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଆଠମଲ୍ଲିକ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ଦିଲୀପ ସାହୁ, ସମ୍ପାଦକ ବୀରେନ ସାହୁ, କୋଷାଧ୍ୟକ୍ଷ ଭାବେ ପ୍ରବୀଣ ସାହୁଙ୍କୁ ଚୟନ କରଯାଇଥିଲା। ଶିକ୍ଷକ ସୁଧାଂଶୁ ଭୂଷଣ ନାୟକ, ସୁଦର୍ଶନ ବେହେରା, ସରୋଜ ମିର୍ଦ୍ଧା ପ୍ରମୁଖ ସହଯୋଗ କରିଥିଲେ।