ଝାରସୁଗୁଡ଼ା, ୭ା୧୦(ଆଶିଷ ରଞ୍ଜନ ଦାଶ):ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଝାରସୁଗୁଡ଼ା ଜିଲା ବେହେରାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅନେକ ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଏଠାରେ ବିଦ୍ୟୁତ୍, ଶୌଚାଳୟ ଓ ପାନୀୟଜଳ ଭଳି ଏକାଧିକ ସମସ୍ୟା ରହିଛି। ହେଲେ ଏହାର ସମାଧାନ ଦିଗରେ ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏଠାରେ ଥିବା ଅସୁବିଧା ଦୂର ପାଇଁ ସେମାନେ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ୧୯୮୪ରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ୨ ବର୍ଷ ତଳେ ଏଠାରେ ୬୨ ଛାତ୍ରୀଛାତ୍ର ପଢୁଥିବାବେଳେ ବିଭିନ୍ନ କାରଣରୁ ଏବେ ସେମାନଙ୍କ ସଂଖ୍ୟା ହ୍ରାସ ପାଇଛି। ବର୍ତ୍ତମାନ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ୫୨ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ଏଠାରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଓ ୨ ଜଣ ଶିକ୍ଷୟିତ୍ରୀ ଅଛନ୍ତି। ବିଦ୍ୟାଳୟରେ ୫ଟି କୋଠରି ରହିଛି। ସେଥିମଧ୍ୟରୁ ୨ଟି କୋଠରିରେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ର ପଢୁଛନ୍ତି। ଅନ୍ୟ ଏକ କୋଠରିକୁ ଭାଗ କରାଯାଇ ସେଥିରେ ଷଷ୍ଠ ଶ୍ରେଣୀ ଛାତ୍ରୀଛାତ୍ର ବସୁଥିବାବେଳେ ଆଉ କିଛି ଅଂଶରେ ଅଫିସ କାର୍ଯ୍ୟ ଚାଲିଛି। ବାକି ୨ଟି କୋଠରିରେ ମଧ୍ୟାହ୍ନଭୋଜନ ସାମଗ୍ରୀ ଓ କୋଇଲା ରଖାଯାଇଛି। ଗତ ୬ ମାସ ହେବ ବିଦ୍ୟାଳୟକୁ ପାଇପ୍ ଯୋଗେ ଜଳଯୋଗାଣ ବନ୍ଦ ରହିଛି। ପ୍ରାୟ ୧୫ ଦିନ ହେବ ଏହି ବିଦ୍ୟାଳୟକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ପାଣି ମୋଟର ଚାଲିପାରୁନାହିଁ। ଫଳରେ ଛାତ୍ରୀଛାତ୍ର ପିଇବା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ପାଇଁ ସେମାନଙ୍କୁ ନିକଟସ୍ଥ ଉଚ୍ଚ ବିଦ୍ୟାଳୟକୁ ଯିବାକୁ ପଡୁଛି। ସେହିପରି ଉକ୍ତ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ୨ଟି ଅଲଗା ଶୌଚାଳୟ ରହିଛି। ଏହାର ବାହାର ପଟ କଂକ୍ରିଟ ଫାଟିଯାଇଥିବାବେଳେ ଭିତରେ ଥିବା ଓ୍ବାଶ୍ ବେସିନ କାମ କରୁନାହିଁ। ଶୌଚାଳୟ ସଫା ହୋଇପାରୁ ନ ଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ବିଦ୍ୟୁତ୍ ବିଚ୍ଛିନ୍ନ ଯୋଗୁ ଛାତ୍ରୀଛାତ୍ର ଶ୍ରେଣୀଗୃହରେ ଗରମ ଓ ଗୁଳୁଗୁଳିରେ ବସିବା କଷ୍ଟକର ହୋଇପଡୁଛି। କିଛିଦିନ ତଳେ ସେମାନେ ବାଧ୍ୟହୋଇ ସ୍କୁଲ ବାରଣ୍ଡାରେ ବସି ଅର୍ଦ୍ଧବାର୍ଷିକ ପରୀକ୍ଷା ଦେଇଥିବା ଦେଖିବାକୁ ମିଳିଥିଲା। ସେହିପରି ବିଦ୍ୟାଳୟର ଖେଳପଡ଼ିଆ ନ ଥିବାରୁ ଛାତ୍ରୀଛାତ୍ର କ୍ରୀଡ଼ାରୁ ମଧ୍ୟ ବଞ୍ଚତ୍ତ ହୋଇଛନ୍ତି।
ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନିତା ପଟେଲ କହିଛନ୍ତି, ବକେୟା ବିଦ୍ୟୁତ୍ ବିଲ୍ ବାବଦକୁ ପ୍ରାୟ ୯୦ ହଜାର ଟଙ୍କା ପଇଠ କରାଯାଇ ନ ଥିବାରୁ ସମ୍ପୃକ୍ତ ବିଭାଗ ପକ୍ଷରୁ ବିଦ୍ୟାଳୟକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ବୁଝାଶୁଝା କରି ଏହାକୁ କମାଯାଇଥିଲେ ମଧ୍ୟ ନିୟମିତ ବିଲ୍ ପରିଶୋଧ ପାଇଁ ଆବଶ୍ୟକ ଅନୁଦାନ ମିଳୁନାହିଁ। ସରକାରଙ୍କ ତରଫରୁ କଣ୍ଟିଜେନ୍ସି ଫଣ୍ଡ୍ ଆକାରରେ ବାର୍ଷିକ ମାତ୍ର ୨୪ ହଜାର ଟଙ୍କା ଆସୁଛି। ସେଥିରେ ସ୍କୁଲ ମରାମତି, ଭିତ୍ତିଭୂମି ଓ ବିଦ୍ୟୁତ୍ ବିଲ୍ ପଇଠ କରିବା ଅସମ୍ଭବ ହେଉଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲର କେତେକ ପୁରୁଣା କୋଠରି ଭଙ୍ଗାହେବାକୁ ଥିବାରୁ ସେହି ବାଟ ଦେଇ ଯାଇଥିବା ପାଣି ପାଇପ ଓ ବିଦ୍ୟୁତ୍ ଲାଇନ୍ ପ୍ରଭାବିତ ହୋଇଛି। ଏନେଇ ସିଆର୍ସିସି, ଶିକ୍ଷା ବିଭାଗର ଅଧିକାରୀ ଓ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଣାଇ ଦିଆଯାଇଛି ବୋଲି ପଟେଲ କହିଛନ୍ତି। ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର ମାଝୀଙ୍କୁ ପଚାରିବାରୁ ବିଦ୍ୟାଳୟର ଭିତ୍ତିଭୂମି ଦେଖିବା ପରେ ଜଣାଇବେ ବୋଲି କହିଛନ୍ତି। ସେହିପରି ଜିଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ୍ତିଆ କହିଛନ୍ତି, ବିଦ୍ୟୁତ୍ ବିଲ୍ ବାକି ଯୋଗୁ କେତେକ ବିଦ୍ୟାଳୟର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିଲା, ମାତ୍ର ଏହାର ସମାଧାନ ଶୀଘ୍ର କରାଯିବ। ଏହାସହ ବେହେରାମାଲ ସ୍କୁଲର ପାନୀୟ ଜଳ ଓ ଶୌଚାଳୟ ସମସ୍ୟା ସମ୍ପର୍କରେ ଅନୁଧ୍ୟାନକରି ପଦକ୍ଷେପ ନେବେ ବୋଲି ଗଡ୍ତିଆ ପ୍ରତିଶ୍ରୁତି ଦେଇଛନ୍ତି।