ନ୍ୟୁଜିଲାଣ୍ଡରେ ପୁଣି ଆର୍ଡେର୍ନ ସରକାର

ଅକ୍‌ଲ୍ୟାଣ୍ଡ, ୧୮ା୧୦: ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ତଥା ଲିବରାଲ ଲେବର ପାର୍ଟି ନେତା ଜାସିଣ୍ଡା ଆର୍ଡେର୍ନ (୪୦) ନିର୍ବାଚନରେ ପୁଣି ଥରେ ବିଜୟୀ ହୋଇଛନ୍ତି। ତାଙ୍କ ଦଳକୁ ୪୯% ଭୋଟ ମିଳିଥିବାବେଳେ ବିରୋଧୀ କଞ୍ଜରଭେଟିଭ୍‌ ନ୍ୟାଶନାଲ ପାର୍ଟିକୁ ମାତ୍ର ୨୭% ଭୋଟ ମିଳିଛି। ଶନିବାର ଫଳାଫଳ ସାମ୍ନାକୁ ଆସିଥିବାବେଳେ ଗତ ୫୦ ବର୍ଷ ମଧ୍ୟରେ ନ୍ୟୁଜିଲାଣ୍ଡରେ ଏଭଳି ସମର୍ଥନ କାହାକୁ ମିଳି ନ ଥିଲା। ଆର୍ଡେର୍ନ ବିଜୟୀ ଭାଷଣରେ ଏଭଳି ବିପୁଳ ସମର୍ଥନକୁ ପ୍ରଶଂସାକରିବା ସହ ଦେଶବାସୀଙ୍କ ଲାଗି କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ମହାମାରୀ କରୋନା ସମୟରେ ଆର୍ଡେର୍ନଙ୍କ ପ୍ରୟାସ ବେଶ୍‌ ସଫଳ ଥିଲା। ଏବେ କୌଣସି ସାମ୍ପ୍ରଦାୟିକ ସଂକ୍ରମଣ ସେଠାରେ ନାହିଁ। ସାମାଜିକ ଦୂରତ୍ୱ ରକ୍ଷା କିମ୍ବା ମାସ୍କ ପିନ୍ଧିବା ଆଉ ପ୍ରାୟ ନାହିଁ। ଗତ ମାର୍ଚ୍ଚରେ ମାତ୍ର ୧୦୦ ଲୋକ ଦେଶରେ କରୋନା ସଂକ୍ରମଣ ହେବା ପରେ ସୀମା ସିଲ୍‌ କରାଯାଇ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଫଳରେ କରୋନାକୁ ରୋକିବାରେ ଏହା ସଫଳ ହୋଇଥିଲା। ଗତବର୍ଷ ଖ୍ରୀଷ୍ଟଚର୍ଚ୍ଚ ମସ୍‌ଜିଦରେ ଆକ୍ରମଣ କରାଯାଇ ୫୧ ମୁସଲମାନ ଭକ୍ତଙ୍କୁ ହତ୍ୟା କରାଯିବା ପରେ ପ୍ରଧାନମନ୍ତ୍ରୀ ଆର୍ଡେର୍ନ କଡ଼ା ପଦକ୍ଷେପ ଗ୍ରହଣ କରିଥିଲେ। ଘାତକ ସେମି ଅଟୋମେଟିକ୍‌ ଅସ୍ତ୍ର ବ୍ୟବହାର ଉପରେ କଟକଣା ଲଗାଇବା ଲାଗି ନୂଆ ଆଇନ ଆଣିଥିଲେ। ଶାନ୍ତି ଓ ବିକାଶ ମାର୍ଗକୁ ସେ ସବୁବେଳେ ଗୁରୁତ୍ୱ ଦେଇଆସୁଥିବାରୁ ଦେଶବାସୀ ତାଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଛନ୍ତି।

Share