Categories: ଜାତୀୟ

ମୁଣ୍ଡ ନୋଇଲେ ସରକାର: ଲିଖିତ ପ୍ରଶ୍ନ ପଚାରି ପାରିବେ ବିରୋଧୀ

ନୂଆଦିଲ୍ଲୀ, ୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ନ ରଖାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ଏହାକୁ ନେଇ କଂଗ୍ରେସ,ତୃଣମୂଳ କଂଗ୍ରେସ, ସିପିଏମ୍‌ ଆଦି ଦଳ ପକ୍ଷରୁ ବିରୋଧ କରାଯିବା ପରେ ସରକାର ମୁଣ୍ଡ ନୋଇଛନ୍ତି। ଲୋକ ସଭା ଏବଂ ରାଜ୍ୟ ସଭା ସଚିବାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରଶ୍ନ କାଳ ନ ରଖାଯିବା ନିଷ୍ପତ୍ତିରେ କିଛି ପରିବର୍ତ୍ତନ କରାଯାଇଛି। ଏଣିକି ବିରୋଧୀ ସଦସ୍ୟ ଲିଖିତ ପ୍ରଶ୍ନ ସରକାରଙ୍କୁ ପଚାରି ପାରିବେ। ସୂଚନାଯୋଗ୍ୟ, ସାଧାରଣତଃ ଏଭଳି ପ୍ରଶ୍ନ ପଚାରିବା ପାଇଁ ୧୫ ଦିନ ପୂର୍ବରୁ ନୋଟିସ ଦେବାକୁ ପଡ଼ିଥାଏ। ତେବେ ଚଳିତ ଥର ଏଥିରେ କେତେକ ପରିବର୍ତ୍ତନ ମଧ୍ୟ କରାଯିବ ବୋଲି ଲୋକ ସଭା ଏବଂ ରାଜ୍ୟ ସଭା ସଚିବାଳୟ ପକ୍ଷରୁ କୁହାଯାଇଛି। ଚଳିତ ଥର ଏଭଳି ପ୍ରଶ୍ନ ସମ୍ପର୍କରେ ନୋଟିସ୍‌ ସେପ୍ଟେମ୍ବର ୪ ସୁଦ୍ଧା ଦିଆଗଲେ ଏହାର ଉତ୍ତର ସେପ୍ଟେମ୍ବର ୧୪, ୧୫ ଏବଂ ୧୬ରେ ଦିଆଯାଇ ପାରିବ ବୋଲି ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share