ଫ୍ୟାମିଲି ପେନସନକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ସ୍ବାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କୁ ମିଳିବ ପୂରା ଫାଇଦା! ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୧୧: ଆପଣଙ୍କ ପରିବାରରେ ଯଦି କେହି କେନ୍ଦ୍ର ସରକାରୀ କର୍ମଚାରୀ ଅଛନ୍ତି କିମ୍ବା କେହି ଅବସର ନେଇସାରିଛନ୍ତି, ତେବେ ଫ୍ୟାମିଲି ପେନସନ ବା ପାରିବାରିକ ପେନସନ ସମ୍ପର୍କିତ ଏହି ନିୟମ ଜାଣିବା ଜରୁରୀ। ଫ୍ୟାମିଲି ପେନସନ ପାଇବାର ଯୋଗ୍ୟତାକୁ ନେଇ କେନ୍ଦ୍ର ସରକାର ସ୍ଥିତି ସ୍ପଷ୍ଟ କରିଛନ୍ତି। ସରକାରଙ୍କ କହିବା ଅନୁସାରେ, କୌଣସି କର୍ମଚାରୀ କିମ୍ବା ପେନସନଭୋଗୀଙ୍କ ମୃତ୍ୟୁ ହେଲେ ତାଙ୍କ ଆଇନଗତ ଜୀବନସାଥୀ ଅର୍ଥାତ୍‌ ସ୍ବାମୀ କିମ୍ବା ସ୍ତ୍ରୀଙ୍କୁ ଫ୍ୟାମିଲି ପେନସନ ପାଇବା ପାଇଁ କୌଣସି ଆୟ ସୀମା ପୂରଣ କରିବାକୁ ପଡ଼ିବ ନାହିଁ।

ଏହାର ଅର୍ଥ ହେଉଛି, ଜୀବନସାଥୀ ନିଜେ ଚାକିରି କରୁଥିଲେ କିମ୍ବା ଅନ୍ୟ କୌଣସି ଉତ୍ସରୁ ରୋଜଗାର କରୁଥିଲେ ମଧ୍ୟ ଫ୍ୟାମିଲି ପେନସନ ପାଇଁ ଦାବି କରିପାରିବେ। କେନ୍ଦ୍ର ସରକାର ୨୯ ଅକ୍ଟୋବର ୨୦୨୬ରେ କେନ୍ଦ୍ରୀୟ ସିଭିଲ ସର୍ଭିସେସ (ପେନସନ ) ନିୟମ, ୨୦୨୧ ଅନୁଯାୟୀ ଫ୍ୟାମିଲି ପେନସନ ସମ୍ପର୍କରେ ଏକ ନୂଆ ଅଫିସ ମେମୋରାଣ୍ଡମ ଜାରି କରିଛନ୍ତି।

ସରକାର ସ୍ପଷ୍ଟ କରିଛନ୍ତି ଯେ, ଆଇନଗତ ଜୀବନସାଥୀଙ୍କୁ ଫ୍ୟାମିଲି ପେନସନ ପାଇବା ପାଇଁ ନିଜ ରୋଜଗାରର କୌଣସି ସୀମା ପ୍ରମାଣ କରିବାକୁ ପଡ଼ିବ ନାହିଁ। ଅର୍ଥାତ୍‌ ସ୍ବାମୀ କିମ୍ବା ସ୍ତ୍ରୀ ଚାକିରି କରୁଥିଲେ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଭଲ ରୋଜଗାର କରୁଥିଲେ ମଧ୍ୟ ଏହି ପେନ୍ସନ ପାଇବାରୁ ବଞ୍ଚିତ ହେବେ ନାହିଁ। ତେବେ ଏହି ନିୟମ ସମସ୍ତ ଯୋଗ୍ୟ ପରିବାର ସଦସ୍ୟଙ୍କ ପାଇଁ ସମାନ ନୁହେଁ।

ଜୀବନସାଥୀଙ୍କୁ ଛାଡ଼ି ଅନ୍ୟ ଯୋଗ୍ୟ ପରିବାର ସଦସ୍ୟଙ୍କ କ୍ଷେତ୍ରରେ ଆୟ ସୀମା ଲାଗୁ ହେବ। ସେମାନଙ୍କ ମାସିକ ଆୟ ୯,୦୦୦ ଟଙ୍କା ଏବଂ ଏହା ଉପରେ ଲାଗୁ ମହଙ୍ଗା ରିଲିଫ (DR) ରାଶିଠାରୁ କମ ହେବା ଆବଶ୍ୟକ। ଅର୍ଥାତ୍‌ ଏହି ଆୟ ସୀମାରୁ ଛାଡ଼ କେବଳ ଆଇନଗତ ସ୍ବାମୀ କିମ୍ବା ସ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ଅନ୍ୟ ପରିବାର ସଦସ୍ୟମାନେ ଏହି ସୁବିଧା ପାଇପାରିବେ ନାହିଁ।

ପରିବାରର କିଛି ସଦସ୍ୟଙ୍କୁ ଫ୍ୟାମିଲି ପେନସନ ପାଇବା ପାଇଁ ସରକାରୀ କର୍ମଚାରୀଙ୍କ ଉପରେ ଆର୍ଥିକ ଭାବେ ନିର୍ଭରଶୀଳ ଥିବା ପ୍ରମାଣ କରିବାକୁ ପଡ଼ିବ। ଅର୍ଥାତ୍‌ ସରକାରୀ କର୍ମଚାରୀଙ୍କ ରୋଜଗାରରୁ ହିଁ ସେମାନଙ୍କ ଖର୍ଚ୍ଚ ଚାଲୁଥିଲା ବୋଲି ପ୍ରମାଣ ଦେବାକୁ ହେବ।

ଏହି ବର୍ଗରେ ରହିଛନ୍ତି:

ବିଧବା ମହିଳା
ଛାଡ଼ପତ୍ର ପାଇଥିବା ଝିଅ
ଆଶ୍ରିତ ବାପା-ମାଆ
ଦିବ୍ୟାଙ୍ଗ ଭାଇ ଓ ଭଉଣୀ

ଫ୍ୟାମିଲି ପେନସନ କ’ଣ ରହିଛି ଲାଭ?
କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ଆଇନଗତ ସ୍ବାମୀ କିମ୍ବା ସ୍ତ୍ରୀଙ୍କ ପାଇଁ ଜୀବନଯାପନ କରିବା କଷ୍ଟକର ହୋଇପାରେ। ବିଶେଷକରି ଯଦି ଜୀବନସାଥୀ ଆର୍ଥିକ ଭାବେ ମୃତ କର୍ମଚାରୀଙ୍କ ଉପରେ ନିର୍ଭରଶୀଳ ଥାଆନ୍ତି, ତେବେ ତାଙ୍କ ମୃତ୍ୟୁ ପରେ ଆର୍ଥିକ ସମସ୍ୟା ଦେଖାଦେଇପାରେ। ଏଭଳି ସ୍ଥିତିରେ ଫ୍ୟାମିଲି ପେନସନ ସେମାନଙ୍କ ପାଇଁ ଏକ ବଡ଼ ସହାୟକ ହୋଇଥାଏ। ଏହାଦ୍ୱାରା ଦୈନନ୍ଦିନ ଖର୍ଚ୍ଚ ସହ ଅନ୍ୟ ଜରୁରୀ ଆବଶ୍ୟକତା ପୂରଣ କରିବା ସହଜ ହୋଇପାରିବ।

 

Dharitri – Odisha’s No.1 Odia Daily

Share